ପୁରୀ ଥଇଥାନ ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨।୯(ବ୍ୟୁରୋ): ଶ୍ରୀମନ୍ଦିର ସୁରକ୍ଷା ଜୋନ୍‌ ପାଇଁ ସ୍ବତନ୍ତ୍ର ଥଇଥାନ ପ୍ୟାକେଜ୍‌ ସୋମବାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବାସଗୃହ ଅଧିଗ୍ରହଣ ପାଇଁ ସ୍ବତନ୍ତ୍ର ଥଇଥାନ ନୀତି ଅନୁଯାୟୀ କ୍ଷତିପୂରଣ ଦିଆଯିବ। ଅଧିଗୃହିତ ଅଞ୍ଚଳରେ ଥିବା ଘର ଲାଗି ସବୁ ପରିବାରକୁ କ୍ଷତିପୂରଣ ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହାସହ ସ୍ଥାନାନ୍ତରିତ ପରିବାର ପରିବହନ ଖର୍ଚ୍ଚ ଲାଗି ତୁରନ୍ତ ୫୦ ହଜାର ମିଳିବା ସହ ବିସ୍ଥାପିତ ପରିବାର ଘର କିମ୍ବା ଜମି ପାଇବା ଯାଏ ମାସିକ ୧୦ ହଜାର ଘରଭଡା ମିଳିବ। ବିସ୍ଥାପିତ ପରିବାର ଲାଗି ୩ଟି ଇଚ୍ଛାଧୀନ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ସେଥିରୁ ଯେକୌଣସି ଗୋଟିଏ ବାଛିବାକୁ ନିୟମ ରହିଛି। ୩ ଇଚ୍ଛାଧୀନ ସହାୟତାଗୁଡିକ ହେଲା, ଗୋଟିଏ ପରିବାର ଏକକାଳୀନ ୩୦ ଲକ୍ଷ ଟଙ୍କା ସହାୟତା ନେଇପାରିବେ, ମନ୍ଦିରର ଦେଢ଼ କିମି ମଧ୍ୟରେ ଥଇଥାନ କଲୋନୀରେ ୫୨୦ ବର୍ଗଫୁଟର ଘର ଏବଂ ମନ୍ଦିରର ୨ କିମି ଭିତରେ ୪୦x୨୫ ଫୁଟର ଜାଗା। ତେବେ ଏକକାଳୀନ ସହାୟତା ନେଇଥିବା ପରିବାର ଘରଭଡା ପାଇବେନି ବୋଲି ଏହି ପ୍ୟାକେଜରେ ଦର୍ଶାଯାଇଛି।
ସେହିପରି କ୍ଷତିଗ୍ରସ୍ତ ଦୋକାନୀଙ୍କୁ ମଧ୍ୟ ପରିବହନ ପାଇଁ ଏକକାଳୀନ ୫୦ ହଜାର ଟଙ୍କା, ଦୋକାନ ଘର ପାଇଁ ମଧ୍ୟ ୨ ପ୍ରକାର ସହାୟତା ଘୋଷଣା ହୋଇଛି। ସାନ, ମଧ୍ୟମ ଓ ବଡ଼ ଦୋକାନ ପାଇଁ ମାସିକ ୫,୧୦,୧୫ ହଜାର ଟଙ୍କା ଭଡ଼ା ସହାୟତା ଦିଆଯିବ। ପୁରୀରେ ବିଭିନ୍ନ ମାର୍କେଟ କଂପ୍ଲେକ୍ସରେ ଉପଲବ୍ଧ ଦୋକାନ ଘର ଦିଆଯିବ। ଏହାସହ ଲଜ୍‌ ଅଧିଗ୍ରହଣ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ୟାକେଜ ଘୋଷଣା କରିଛନ୍ତି। ୧୫୦୦ ବର୍ଗଫୁଟରୁ ଅଧିକ ଲଜ୍‌ ପାଇଁ ପୂନର୍ବାସ ଥଇଥାନ ଅନୁଯାୟୀ କ୍ଷତିପୂରଣ ଦିଆଯିବ। ୩ ହଜାର ବର୍ଗଫୁଟର ଅଧିକ ଅଞ୍ଚଳରେ ଥିବା ଲଜ୍‌ଗୁଡିକୁ ୧୦ ଲକ୍ଷ ଟଙ୍କା ଏବଂ ୩ ହଜାର ବର୍ଗଫୁଟରୁ କମ ଲଜ୍‌ ପାଇଁ ୫ ଲକ୍ଷ ଟଙ୍କା ତୁରନ୍ତ ସହାୟତା ମିଳିବ। ପ୍ରତି ଲଜ୍‌କୁ ବର୍ଗଫୁଟ ପିଛା ମାସିକ ୨୫ ଟଙ୍କା ଲେଖାଏ ୧୮ ମାସ ସହାୟତା ପ୍ରଦାନ କରାଯିବ।

Share