ପୁରୀ ନାବାଳିକା ଗଣବଳାତ୍କାର ମାମଲା: କୋର୍ଟରେ ପୀଡିତାଙ୍କ ବୟାନ ରେକର୍ଡ

ପୁରୀ ଅଫିସ, ୪ା୧୨: ପୋଲିସ କ୍ୱାର୍ଟର୍ସରରେ ଗଣବଳତ୍କାରର ଶିକାର ହୋଇଥିବା ନାବାଳିକାଙ୍କର ବୁଧବାର ସିଆରପିସି ଧାରା ୧୬୧ ଓ ୧୬୪ରେ ପୁରୀ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ବୟାନ ରେକେର୍ଡ କରାଯାଇଛି। ପୂର୍ବରୁ ଏହିମାମଲାରେ ଦୁଇଜଣ ଅଭିଯୁକ୍ତଙ୍କୁ ଜେଲହାଜତକୁ ପଠାଇଦିଆଯାଇଛି। ପୋଲିସ ସେମାନଙ୍କୁ ରିମାଣ୍ଡରେ ଆଣିବା ଲାଗି ଆବେଦନ କରିବ। ସେହିପରି ଫେରାର ଥିବା ଅନ୍ୟ ଦୁଇଜଣ ଅଭିଯୁକ୍ତଙ୍କୁ ଧରିବା ଲାଗି ଦୁଇଟି ଟିମ୍‌ ଗଠନ କରାଯାଇଛି। ଏହି ଟିମ୍‌ ବାହାର ରାଜ୍ୟରେ ଚଢ଼ାଉ ଜାରି ରଖିଛି। ଖୁବ୍‌ ଶୀଘ୍ର ସେମାନଙ୍କୁ ଗିରଫ କରାଯିବ। ପୀଡିତାଙ୍କୁ ୫ଲକ୍ଷ କ୍ଷତିପୂରଣ ଦିଆଯିବା ନେଇ ଜିଲା ଆଇନସେବା ପ୍ରାଧିକରଣ ସହ ଆଲୋଚନା କରାଯାଇଛି। କ୍ଷତିପୂରଣ ଲାଗି ପୋଲିସ ପକ୍ଷରୁ ପ୍ରକ୍ରିୟା ଆରମ୍ଭ କରାଯିବ। ସମ୍ପୂର୍ଣ୍ଣ ତଥ୍ୟ ପ୍ରମାଣ ସହ ୨୦ଦିନ ମଧ୍ୟରେ ଚାର୍ଜସିଟ୍‌ କରାଯିବ ବୋଲି ବୁଧବାର ଏସ୍‌ପି ଉମାଶଙ୍କର ଦାଶ କହିଛନ୍ତି। ପୀଡିତାଙ୍କ ସ୍କୁଲ ସାର୍ଟିଫିକେଟ ଯାଞ୍ଚ କରାଯାଇଛି। ସେ ନାବାଳିକା ବୋଲି ପ୍ରମାଣ ମିଳିଛି। ଏହି ଘଟଣାକୁ ଗୁରୁତର ସହିତ ନିଆଯାଇଛି। ପୀଡିତାଙ୍କୁ ଯେପରି ନ୍ୟାୟ ମିଳିବ ସେଥିଲାଗି ଲିଗାଲ ଆଡଭାଇଜରଙ୍କ ସହ ଆଲୋଚନା କରାଯାଇଛି ବୋଲି ଏସ୍‌ପି କହିଥିଲେ।

Share