ପୁରୀ ପୋଲିସ ରଥଯାତ୍ରା ପ୍ରସ୍ତୁତି: ପାର୍କିଂ, ଟ୍ରାଫିକ୍‌ ଉପରେ ଗୁରୁତ୍ୱ

ପୁରୀ ଅଫିସ, ୨୯ା୬: ଘୋଷଯାତ୍ରାକୁ ଆଉ ମାତ୍ର ୫ଦିନ। ପୁରୀ ପୋଲିସ ପକ୍ଷରୁ ଟ୍ରାଫିକ ନିୟନ୍ତ୍ରଣ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି ବୋଲି ପୁରୀ ଏସ୍‌ପି ଉମାଶଙ୍କର ଦାଶ ‘ଧରିତ୍ରୀ’କୁ କହିଛନ୍ତି। ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ବାହାରୁ ଆସୁଥିବା ଦୁଇ ଚକିଆ ଓ ଚାରିଚକିଆ ଯାନ ବାହାନ ପାର୍କିଂ ଏବଂ ଟ୍ରାଫିକ ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଦିଆଯାଇଛି। ପୂର୍ବବର୍ଷ ଭଳି ଚଳିତବର୍ଷ ମଧ୍ୟ କୁମ୍ଭାରପଡା ଥାନା ଉପର ମହଲାରେ ଏକ ସ୍ବତନ୍ତ୍ର ଟ୍ରାଫିକ୍‌ କଣ୍ଟ୍ରୋଲରୁମ୍‌ ଖୋଲାଯିବ। ଏହି କଣ୍ଟ୍ରୋଲରୁମ ନବଯୌବନ ଦର୍ଶନ ଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ କାର୍ଯ୍ୟ କରିବ। ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ଦେଇ ଆସୁଥିବା ବାହାର ଟ୍ୟୁରିଷ୍ଟ ବସ୍‌ ମାଳତିପାଟପୁର ଠାରେ ପାର୍କିଂ କରିବେ। ଭୁବନେଶ୍ୱର, କଟକ ଏବଂ କୋଣାର୍କ ପଟୁ ଆସୁଥିବା ନିୟମିତ ଘରୋଇ ବସ୍‌ ମାଲତିପାଟପୁର ଠାରୁ ଆରଓବି ଦେଇ ତାଳବଣିଆ ଠାରେ ପାର୍କିଂ କରିବେ। ସେହିପରି ଭୁବନେଶ୍ୱର ଓ କୋଣାର୍କ ପଟୁ ଆସୁଥିବା ଦୁଇ ଚକିଆ ଓ ଚାରିଚକିଆ ଯାନ ଜଗନ୍ନାଥ ବଲ୍ଳଭ, ମାଜଣା ଜାଗା, ଓଏସ୍‌ଆରଟିସି ଗ୍ୟାରେଜ, ଜିଲା ସ୍କୁଲ, ଏସ୍‌ସିଏସ୍‌ କଲେଜ ପଡିଆରେ ପାର୍କିଂ କରିବେ। ବ୍ରହ୍ମଗିରି ପଟୁ ଆସୁଥିବା ଯାନଗୁଡିକ ମଶାଣୀ ଚଣ୍ଡି ଛକ, ଜଗନ୍ନାଥ ବଲ୍ଳଭରେ ପାର୍କିଂ କରିବେ। ସେହିପରି ରଥଯାତ୍ରା, ବାହୁଡାଯାତ୍ରା ଏବଂ ସୁନାବେଶରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ। ଏହାକୁ ଦୃଷ୍ଟିରେ ରଖି ଟ୍ରାଫିକ ପରିଚାଳନାରେ କେତନ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ। ଉତ୍ତରାଛକ ଠାରୁ ମାଲତିପାଟପୁର ପର୍ଯ୍ୟନ୍ତ ଅତ୍ୟାଧୁନିକ ସିସି ଟିଭି ଖଞ୍ଜାଯିବ। ଏହାକୁ ସ୍ବତନ୍ତ୍ର କଣ୍ଟୋଲରୁମ ସହିତ ସଂଯୋଗ କରାଯିବ। ଏ ସମ୍ପର୍କରେ ଏସ୍‌ପି ଦାଶ କହିଲେ ଯେ, ଚଳିତ ଘୋଷଯାତ୍ରାକୁ ଶୃଙ୍ଖଳିତ କରିବା ଲାଗି ପୋଲିସ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଯାନବାହନ ପାର୍କିଂ ନେଇ ପୁରୀ ପୋଲିସ ୱେବ୍‌ସାଇଟ, ସୋସିଆଲ ମିଡିଆ ଏବଂ ଫେସବୁକ ଜରିଆରେ ସୂଚନା ଦିଆଯିବ। ଛକ ସ୍ଥାନରେ ଯାତ୍ରୀଙ୍କ ସୁବିଧା ଦୃଷ୍ଟିରୁ ଚିହ୍ନଟ ଫଳକ ଲାଗିବ। ଟ୍ରାଫିକ ସଂକ୍ରାନ୍ତୀୟ ସୂଚନା ଲାଗି ହୋର୍ଡିଂ ଲାଗିବ। ଟ୍ରାଫିକ ଦାୟିତ୍ୱରେ ଥିବା ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ହ୍ବାଟସ୍‌ଆପ୍‌ ଗ୍ରୁପ୍‌ ସହିତ ଯୋଡାଯିବ। କୌଣସି ସ୍ଥାନରେ ଅଘଟଣ ଖବରପାଇଲେ ସେମାନେ ଅନ୍ୟମାନଙ୍କୁ ଜଣାଇବେ। ଏହା ଦ୍ୱାରା ସେଠାରେ ଟ୍ରାଫିକ ପରିଚାଳନାରେ ସହାୟକ ହୋଇପାରିବ।

Share