ପୁରୀ ବେଳାଭୂମିରୁ ବିଷଧର ସାପ ଉଦ୍ଧାର

ପୁରୀ ଅଫିସ,୬ା୬: ପୁରୀ ବେଳାଭୂମିରୁ ବୁଧବାର ସକାଳେ ଏକ ବିଷଧର ସାପ ଉଦ୍ଧାର ହୋଇଛି। ଅଗ୍ନିଶମ କର୍ମଚାରୀ ଯୁଧିଷ୍ଠିର ଜେନା ବେଳାଭୂମିରେ ପାଟ୍ରୋଲିଂ କରୁଥିବା ସମୟରେ ବାଲିରେ ଏକ ସାପ ଚାଲୁଥିବା ଦେଖିଥିଲେ। ପରେ ଜଣେ ଲାଇଫ୍‌ଗାର୍ଡଙ୍କ ସହାୟତାରେ ସେ ଏହାକୁ ଏକ ଡବା ମଧ୍ୟରେ ପୂରାଇବାରେ ସଫଳ ହୋଇଥିଲେ। କଳା ରଙ୍ଗର ପ୍ରାୟ ୨ ଫୁଟ ଲମ୍ବର ଏହି ସାପଟିକୁ ଆଣି ପୁରୀ ଡିଏଫ୍‌ଓଙ୍କୁ ହସ୍ତାନ୍ତର କରିଥିଲେ। ପରେ ବନ ବିଭାଗ ଏହି ସାପକୁ ନୂଆନଈ ମୁହାଣରେ ଛାଡ଼ିଦେଇଛି । ଡିଏଫ୍‌ଓ ହର୍ଷବର୍ଦ୍ଧନ ଉଦ୍‌ଗାତା କହିଛନ୍ତି, ଏହା ହେଉଛି ଡଗ୍‌ ଫେସ୍‌ ୱାଟର ସ୍ନେକ (କୁକୁରମୁହଁା ପାଣିସାପ)। ଅଳ୍ପ ବିଷଧର ଏହି ସାପ ପ୍ରାୟ ମୁହାଣ ମୁହଁ ବାଲିରେ ରହିଥାନ୍ତି। ସମୁଦ୍ର ଭିତରକୁ ଯାଇ ନ ଥାନ୍ତି। ଭାରତର ପୂର୍ବ ଉପକୂଳ ଏବଂ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ଏହି ପ୍ରଜାତିର ସାପ ଦେଖାଯାନ୍ତି ବୋଲି ଡିଏଫ୍‌ଓ ଉଦ୍‌ଗାତା ପ୍ରକାଶ କରିଛନ୍ତି।

Share