Categories: ମେଟ୍ରୋ

ପୁରୀ ମଙ୍ଗୁ ମଠ ଭଙ୍ଗା ବିରୋଧରେ ପଞ୍ଜାବ ବିଧାୟକଙ୍କ ଶୋଭାଯାତ୍ରା: ‘ମଠ ନ ଭାଙ୍ଗିି ମଧ୍ୟ ସୌନ୍ଦର୍ଯ୍ୟକରଣ ସମ୍ଭବ’

ଭୁବନେଶ୍ୱର,୨୩ା୧୨(ବ୍ୟୁରୋ): ପୁରୀରେ ମଙ୍ଗୁ ମଠ ଭଙ୍ଗାଯିବାକୁ ନେଇ ପୁଣିଥରେ ଜୋରଦାର ବିରୋଧ କରାଯାଇଛି। ଶନିବାର ପୁରୀରେ ଶିଖ୍‌ ସମାଜ ପକ୍ଷରୁ ଏହାକୁ ଦୃଢ଼ ବିରୋଧ କରାଯାଇଥିବାବେଳେ ରବିବାର ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନଠାରେ ଏନେଇ ଏକ ବିଶାଳ ପ୍ରତିବାଦ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ପଞ୍ଜାବର ଲୋକ୍‌ ଇନ୍‌ସାଫ୍‌ ପାର୍ଟି ପକ୍ଷରୁ ହୋଇଥିବା ଏହି ଶୋଭାଯାତ୍ରାରେ ପଞ୍ଜାବର ୨ ବିଧାୟକ ସମରଜିତ୍‌ ସିଂହ ଓ ବଲୱନ୍ତ ସିଂହ ସାମିଲ ହୋଇଥିଲେ। ମଙ୍ଗୁ ମଠ ଭଙ୍ଗାକୁ ଉଭୟ ବିଧାୟକ ଦ୍ୱୟ ଦୃଢ଼ ନିନ୍ଦା କରିଥିଲେ। ଖାରବେଳ ନଗରରୁ ମାଷ୍ଟରକ୍ୟାଣ୍ଟିନ ପର୍ଯ୍ୟନ୍ତ ହୋଇଥିବା ଏହି ଶୋଭାଯାତ୍ରାରେ ଯୋଗଦେଇ ପଞ୍ଜାବର ଏହି ଦୁଇ ବିଧାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଅଭିଭାଷଣ ରଖିଥିଲେ। ମଠ ମନ୍ଦିର ନ ଭାଙ୍ଗି ମଧ୍ୟ ସହରର ସୌନ୍ଦର୍ଯ୍ୟକରଣ ହୋଇପାରିବ। କିପରି ସୌନ୍ଦର୍ଯ୍ୟକରଣ ହୋଇପାରିବ ତାହା ସେ ପଞ୍ଜାବ ଯାଇ ଦେଖିପାରିବେ ବୋଲି କହିଥିଲେ। ଅନ୍ୟପକ୍ଷରେ ଏ ବିଷୟରେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକଙ୍କୁ ଏକ ସୌଜନ୍ୟମୂଳକ ସାକ୍ଷାତ କରିବାକୁ ଚାହିଁଥିଲେ ମଧ୍ୟ ସୁଯୋଗ ନ ମିଳିବାରୁ ସେମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ଯଦି ମୁଖ୍ୟମନ୍ତ୍ରୀ ମଙ୍ଗୁ ମଠ ଭଙ୍ଗାଯିବା ବିରୋଧରେ ପଦକ୍ଷେପ ନ ନିଅନ୍ତି, ତା’ହେଲେ ପଞ୍ଜାବରୁ ଲକ୍ଷ ଲକ୍ଷ ଶିଖ୍‌ ଆସି ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଥିଲେ। ଶେଷରେ ପୁରୀ ଅଭିମୁଖେ ଏହି ଶୋଭାଯାତ୍ରା ବାହାରିଥିଲା।

Share