ପୁରୀ ଅଫିସ,୨୩।୧: ପ୍ରାକୃତିକ ବିପର୍ଯ୍ୟୟ ସଚେନତନା ସୃଷ୍ଟି ନିମନ୍ତେ ଗୁରୁବାର ସକାଳେ ପୁରୀରେ ମିନି ମାରାଥନ୍ ଅନୁଷ୍ଠିତ ହୋଇଯାଇଛି। ମହିଳାବର୍ଗରେ ସମ୍ସଦ୍ ଆରା ବେଗମ୍ ଏବଂ ପୁରୁଷବର୍ଗରେ ମୁକୁନ୍ଦ ବାନରା ଚାମ୍ପିଅନ ହୋଇଛନ୍ତି। ତାଳବଣିଆସ୍ଥିତ ଜିଲା ସ୍ପୋର୍ଟସ କମ୍ପ୍ଲେକ୍ସରୁ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଏହି ମିନି ମାରାଥନ୍ର ଶୁଭାରମ୍ଭ କରିଥିଲେ। ୮ କିଲୋମିଟର ବ୍ୟାପୀ ଏହି ମାରାଥନ୍ ବଳିଆପଣ୍ଡାସ୍ଥିତ ସମୁଦ୍ରକୂଳରେ ଶେଷ ହୋଇଥିଲା। ଏଥିରେ ମହିଳାବର୍ଗରେ ସମ୍ସଦ୍ ଆରା ପ୍ରଥମ, ସନ୍ଧ୍ୟା ମୁର୍ମୁ ଦ୍ୱିତୀୟ, ସାଇନା ସ୍ମାଇଲ୍ ମହାନ୍ତି ତୃତୀୟ ଏବଂ ପୁରୁଷବର୍ଗରେ ମୁକୁନ୍ଦ ପ୍ରଥମ, ରଶ୍ମୀରଞ୍ଜନ ନାୟକ ଦ୍ୱିତୀୟ ଓ ସୁଧାଂଶୁ ନାୟକ ତୃତୀୟ ସ୍ଥାନ ଅଧିକାର କରି ଯଥାକ୍ରମେ ୩୦ ହଜାର, ୨୦ ହଜାର ଓ ୧୦ ହଜାର ଟଙ୍କା ପୁରସ୍କାର ରାଶି ପାଇଛନ୍ତି। ଏତଦ୍ବ୍ୟତୀତ ପ୍ରତିବର୍ଗରେ ୭ ଜଣ ଲେଖାଏ ପ୍ରତିଯୋଗୀଙ୍କୁ ୫ ହଜାର ଟଙ୍କା ଲେଖାଏ ପୁରସ୍କାର ପ୍ରଦାନ କରାଯାଇଛି। ଏହି ମାରାଥନ୍ରେ ୩ ହଜାରରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।