ପୁରୀ ରେଳ ଷ୍ଟେଶନରୁ ଆମେରିକା

କଣାସ,୫ା୧୧(ସ୍ବ.ପ୍ର.): ସେଦିନର କୁଅଁା କୁଅଁା ଶବ୍ଦ ଆଜି ସମସ୍ତଙ୍କ ମୁହଁରେ ହସ ଫୁଟାଇଦେଇଛି। ଅଲୋଡା ଶିଖା ଏବେ ଆମେରିକୀୟ ଦମ୍ପତିଙ୍କ ଅଲିଅଳି କନ୍ୟା। ପୁରୀ ରେଳ ଷ୍ଟେଶନରୁ ୨୨ମାସ ତଳେ ଉଦ୍ଧାର ହୋଇଥିବା ଶିଖା ଆଜି ଆମେରିକାର ବାସିନ୍ଦା।
୨୦୧୮ ମାର୍ଚ୍ଚ ୨୬ତାରିଖ ଦିନ ହାୱଡାରୁ ଆସୁଥିବା ଜଗନ୍ନାଥ ଏକ୍ସପ୍ରେସ୍‌ ପୁରୀ ରେଳ ଷ୍ଟେଶନ ୭ନମ୍ବର ପ୍ଲାଟର୍ଫମରେ ଲାଗିଥିଲା। ସମସ୍ତେ ଯାତ୍ରୀ ବାହାରି ଯାଇଥିବାବେଳେ ଏସି କୋଚ୍‌ ଭିତରେ ଏକ ଜନ୍ମିତ ଶିଶୁକନ୍ୟା ପଡିଥିବା ଦେଖି ପୁରୀ ଶିଶୁ ମଙ୍ଗଳ ସମିତିକୁ ଜଣାଇ ଦିଆଯାଇଥିଲା। ଖବରପାଇ ପୁରୀ ଶିଶୁ ମଙ୍ଗଳ ଅଧିକାରୀ ମନୋଜ କୁମାର ତ୍ରିପାଠୀ ଷ୍ଟେଶନରେ ପହଞ୍ଚତ୍ ଶିଶୁକନ୍ୟାଟିକୁ ଉଦ୍ଧାର କରିଥିଲେ। ଲାଳନପାଳନ ପାଇଁ କଣାସ ବ୍ଲକ ଦୟାବିହାରଠାରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ନୀଳାଚଳ ସେବା ପ୍ରତିଷ୍ଠାନ ଦ୍ୱାରା ପରିଚାଳିତ ଶିଶୁ ଗୃହକୁ ପଠାଇଥିଲେ। ପରେ ପ୍ରତିଷ୍ଠାନ ପକ୍ଷରୁ ଶିଶୁଟିର ନାମ ଶିଖା ରଖାଯାଇଥିଲା। କିନ୍ତୁ ଶିଶୁଟିର ଶାରୀରିକ ବିକଳାଙ୍ଗ ଥିବାରୁ ଅନୁଷ୍ଠାନ ପକ୍ଷରୁ କଟକ ଏସ୍‌ସିବି ମେଡିକାଲକୁ ପଠାଯାଇଥିଲା। ଶିଶୁରୋଗ ବିଶେଷଜ୍ଞ ଡ. ସୁଧୀର କୁମାର ମହାପାତ୍ର ଶିଖାର ଚିକିତ୍ସା କରିଥିଲେ। ଇତି ମଧ୍ୟରେ ଆମେରିକାର ଟୋନି ଜେମ୍‌ସେ ମଉଲାଦିନ୍‌, କ୍ଲାରାଟେଲରମାଉଲ୍‌ ଦିନ୍‌ ଏକ ଝିଅକୁ ପୌଷ୍ୟସନ୍ତାନ ଗ୍ରହଣ କରିବା ପାଇଁ ଅନ୍‌ଲାଇନ୍‌ରେ ଆବେଦନ କରିଥିଲେ। ତେବେ ନୀଳାଚଳ ସେବା ପ୍ରତିଷ୍ଠାନ ଆମେରିକା ଦମ୍ପତିର ସନ୍ତାନ ଗ୍ରହଣ ଯୋଗ୍ୟ ବିବେଚିତ ଥିବା ଦେଖି ଶିଖା ବିଷୟରେ ଜଣାଇଥିଲେ। ଶିଖା ଜଣେ ଦିବ୍ୟାଙ୍ଗ ଥିବା ଜାଣିବା ପରେ ମଧ୍ୟ ଆମେରିକା ଦମ୍ପତି ଜଣକ ପୌଷ୍ୟ ସନ୍ତାନ ରୂପେ ଗ୍ରହଣ କରିବା ପାଇଁ ସମସ୍ତ କାଗଜପତ୍ର ଅଦାଲତକୁ ଦେଇଥିଲେ। ପରେ ଅଦାଲତ ଓ ସେବା ପ୍ରତିଷ୍ଠାନ ପକ୍ଷରୁ ମଞ୍ଜୁରୀ ମିଳିବା ପରେ ଗତ ୨ତାରିଖ ଦିନ ଉକ୍ତ ଆମେରିକା ଦମ୍ପତି ନୀଳାଚଳ ସେବା ପ୍ରତିଷ୍ଠାନରେ ପହଞ୍ଚି ଶିଖାକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିଲେ। ଏହି ସମୟରେ ପୁରୀ ଶିଶୁ ଅଧିକାରୀ ମନୋଜ କୁମାର ତ୍ରିପାଠୀ, ନୀଳାଚନ ସେବା ପ୍ରତିଷ୍ଠାନର ଶିଶୁ ଗୃହ ଅଧ୍ୟକ୍ଷା ପ୍ରିୟଙ୍କା ପ୍ରିୟଦର୍ଶନୀ, ଷ୍ଟାଫ ନର୍ସ ସୁକାନ୍ତି ସେଠୀ ଓ ଶିଖାକୁ ଲାଳନପାଳନ କରୁଥିବା ସମସ୍ତ ଗୃହମାତାଙ୍କ ଉପସ୍ଥିତ ରହି ଖୁସି ଅନୁଭବ କରିଥିଲେ।