ପୁରୀ ସହରରେ ଦୁର୍ବୃତ୍ତଙ୍କ ଆତଙ୍କରାଜ: ଦୋକାନ ଭାଙ୍ଗିଲେ, ବ୍ୟବସାୟୀଙ୍କ ହାତ ହାଣିଲେ

ପୁରୀ ଅଫିସ, ୨୫।୮: କିଛିଦିନର ନୀରବତା ପରେ ପୁଣି ପୁରୀ ସହରରେ ଦୁର୍ବୃତ୍ତଙ୍କ ଆତଙ୍କରାଜ ଦେଖିବାକୁ ମିଳିଛି। ଶୁକ୍ରବାର ନରେନ୍ଦ୍ରକୋଣରେ ଜଣେ ଲଜ୍‌ ମାଲିକଙ୍କୁ ଆକ୍ରମଣ ଘଟଣାର ୨୪ଘଣ୍ଟା ନ ପୂରୁଣୁ ଶନିବାର କୁମ୍ଭାରପଡ଼ା ଥାନା ଅଧୀନ ରେଡକ୍ରସ ରୋଡ଼ରେ ୪ଜଣ ଦୁର୍ବୃତ୍ତ ଖଣ୍ଡା ଧରି ଏକ ଭେରାଇଟି ଷ୍ଟୋରରେ ଭଙ୍ଗାରୁଜା କରିବା ସହ ସମ୍ପୃକ୍ତ ଦୋକାନୀଙ୍କୁ ଧମକ ଦେଇଛନ୍ତି। ସେହିପରି ବାଲି ଉପରବସ୍ତିରେ ଜଣେ ବ୍ୟବସାୟୀଙ୍କ ଦୁଇ ହାତ ହାଣି ଦେଇଛନ୍ତି। ଏହି ଘଟଣା ପରେ ସହରବାସୀ ଭୟଭୀତ ହୋଇପଡ଼ିଛନ୍ତି।

ସୂଚନା ଅନୁଯାୟୀ, ରେଡକ୍ରସ ରୋଡ଼ସ୍ଥ ସେସୁ କାର୍ଯ୍ୟାଳୟ ନିକଟରେ ବିପିନ ନାୟକଙ୍କର ମା’ ଦକ୍ଷିଣକାଳୀ ନାମକ ଭେରାଇଟି ଷ୍ଟୋର ରହିଛି। ଶନିବାର ସନ୍ଧ୍ୟା ପ୍ରାୟ ୬ଟାରେ ବିପିନ ଦୋକାନରେ ବସିଥିଲେ। ଏହି ସମୟରେ ୪ଜଣ ଯୁବକ ଖଣ୍ଡା ଧରି ଦୁଇଟି ବାଇକ୍‌ରେ ଆସିଥିଲେ। ସେମାନେ ହଠାତ୍‌ ତାଙ୍କ ଦୋକାନରେ ପଶି ତାଙ୍କୁ ବଟି ମାଗିଥିଲେ। ସେ ମନା କରିବାରୁ ସେମାନେ ଖଣ୍ଡାରେ ତାଙ୍କ ଦୋକାନର ଶୋ’ କେସ୍‌, କାଚଗ୍ଲାସ ଆଦି ଭାଙ୍ଗିଦେଇଥିଲେ। ଦାଦାବଟି ନ ଦେଲେ, ଏଠି ଦୋକାନ କରିପାରିବ ନାହିଁ ବୋଲି ଧମକଚମକ ଦେଇଥିଲେ। ଏହା ଦେଖି ପାଖ ଦୋକାନୀମାନେ ପ୍ରାଣ ବିକଳରେ ଦୌଡ଼ି ପଳାଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ବାରୁ ଦୁର୍ବୃତ୍ତମାନେ ଖଣ୍ଡା ଛାଡ଼ି ଫେରାର ହୋଇଯାଇଥିଲେ। ପୋଲିସ ୨ଟି ଖଣ୍ଡା ଜବତ କରି ତଦନ୍ତ ଚଳାଇଛି। ଏହାକୁ ନେଇ ରେଡକ୍ରସ ବଜାରରେ ଉତ୍ତେଜନା ପ୍ରକାଶ ପାଇଥିଲା। ବ୍ୟବସାୟୀମାନେ ଦୋକାନବଜାର ବନ୍ଦ କରିଦେଇଥିଲେ। ପରେ ବିପିନ ଥାନାରେ ଏତଲା ଦେଇଥିବା ବେଳେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଦାବିରେ ବ୍ୟବସାୟୀମାନେ ଥାନା ଘେରାଉ କରିଥିଲେ। ସେହିପରି ରାତି ପ୍ରାୟ ୯ଟା ୩୦ ମିନିଟ୍‌ରେ ସମ୍ପୃକ୍ତ ଦୁର୍ବୃତ୍ତମାନେ ସମୁଦ୍ରକୂଳ ଥାନା ଅଧୀନ ବାଲିଉପର ବସ୍ତିରେ ଗଜପତି ନଗରର ବ୍ୟବସାୟୀ ପୀତାମ୍ବର ମାଣିକ(୩୨)ଙ୍କ ଦୁଇହାତକୁ ହାଣିଦେଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଏ ନେଇ ସମୁଦ୍ରକୂଳ ଥାନାରେ ଏକ ମାମଲା ରୁଜୁ ହୋଇଛି। ଉଭୟ ଥାନାର ପୋଲିସ ମିଳିତ ଭାବେ ଏହି ଦୁଇ ଘଟଣାର ତଦନ୍ତ ଜାରି ରଖିଛନ୍ତି।

Share