ପୁରୀ ସହରରେ ୨ କରୋନା ଆକ୍ରାନ୍ତ ଚିହ୍ନଟ ପରେ ରେଣୁକା ଗଳିକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲା ପ୍ରଶାସନ

ପୁରୀ ଅଫିସ, ୧୧।୫: ପୁରୀ ସହରରୁ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲା ପ୍ରଶାସନ ତତ୍ପର ହୋଇପଡ଼ିଛି। ଆକ୍ରାନ୍ତ ରହୁଥିବା ସମୂଦ୍ର କୂଳ ରେଣୁକା ଗଳି ଲେନ୍‌ ଏବଂ ଏହାକୁ ସଂଯୋଗ କରୁଥିବା ଅନ୍ୟ କେତେକ ଗଳିକୁ ସୋମବାର ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। ଏହି କଣ୍ଟେନମେଣ୍ଟ ଅଞ୍ଚଳକୁ ପ୍ରଶାସନ ପକ୍ଷରୁ ସାନିଟାଇଜ୍‌ କରାଯାଇଛି। ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ପ୍ରାୟ ୧୦ ଜଣଙ୍କର କୋଭିଡ ଟେଷ୍ଟ ପାଇଁ ସ୍ବାବ ନମୁନା ସଂଗ୍ରହ କରାଯାଇଛି। ଏତଦ୍‌ବ୍ୟତିତ କଣ୍ଟେନମେଣ୍ଟ ଜୋନ୍‌ରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେବାଲାଗି ମଧ୍ୟ ବ୍ୟବସ୍ଥା ହୋଇଛି। ସମ୍ପୃକ୍ତ ଅଞ୍ଚଳରେ ଅଧିକ ହୋଟେଲ ଏବଂ କମ୍‌ ଘର ରହିଥିବାରୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବାରେ ପ୍ରଶାସନକୁ ବେଶି କିଛି ଅସୁବିଧା ହେବ ନାହିଁ ବୋଲି ଜିଲାପାଳ ବଲଓ୍ବନ୍ତ ସିଂହ ସୂଚନା ଦେଇଛନ୍ତି। ଆକ୍ରାନ୍ତ ଦ୍ୱୟଙ୍କୁ ଭୁବନେଶ୍ୱର କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଥିବା ଜିଲାପାଳ ସୂଚନା ଦେଇଛନ୍ତି।

Share