ପୁରୁଣାକୁ ଅଣଦେଖା

ଚଳିତ ରେଳ ବଜେଟରେ ସମ୍ବଲପୁର ଜିଲାକୁ ମିଳିଥିବା ଅନୁଦାନ ଆଶାନୁରୂପକ ନୁହେଁ। ଦାବି ଓ ଆବଶ୍ୟକତାଠାରୁ କମ୍‌ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି । ସମ୍ବଲପୁର ରେଳମଣ୍ଡଳ ଅଧୀନରେ ଅନେକ ପ୍ରକଳ୍ପ ଘୋଷଣା କରାଯାଇଛି। ହେଲେ ପୁରୁଣା ପ୍ରକଳ୍ପ ଉପରେ ଗୁରୁତ୍ୱ ଦିଆଯାଇ ନାହିଁ। କେବଳ ଦୋହରୀକରଣ ଉପରେ ଗୁରୁତ୍ୱ ଦିଆଯାଇଛି।
ସମ୍ବଲପୁର ରେଳ ମଣ୍ଡଳ ଓ ପଶ୍ଚିମ ଓଡିଶା କ୍ଷେତ୍ରରେ ପୂର୍ବରୁ ଘୋଷିତ ଅନେକ ପ୍ରକଳ୍ପ ପାଇଁ ଅନୁଦାନ ଦିଆଯାଇନାହିଁ। ଗତବର୍ଷ ବଜେଟରେ ଘୋଷଣା ହୋଇଥିବା ରାୟପୁର-ଝାରସୁଗୁଡା ଭାୟା କନକତୁରା ନୂତନ ରେଳ ଲାଇନ ନେଇ କୌଣସି ଅନୁଦାନ ଘୋଷଣା ହୋଇ ନାହିଁ । ୩୧୦ କି.ମି. ବିଶିଷ୍ଟ ନୂତନ ରେଳପଥ ଗତବର୍ଷ ବଜେଟରେ କେବଳ ଘୋଷଣା ହୋଇଥିଲେ ହେଁ ଅର୍ଥ ବ୍ୟବସ୍ଥା ହୋଇପାରିଲାନାହିଁ । ସେହିପରି ଗତବର୍ଷ ମାନେଶ୍ୱରଠାରେ ଏକ ୱାଗନ ମରାମତି କାରଖାନା ତିଆରି ପାଇଁ ଘୋଷଣା ହୋଇଥିଲା । ହେଲେ କାମ ଆରମ୍ଭ ହୋଇ ପାରିଲାନାହିଁ । ଦୀର୍ଘଦିନର ଦାବି ଥିବା ସମ୍ବଲପୁର-ଗୋପାଳପୁର ଭାୟା ଫୁଲବାଣୀ ନୂତନ ରେଳପଥକୁ ମଞ୍ଜୁରୀ ମିଳିଛି । ସେହିପରି ବହୁ ଚର୍ଚ୍ଚିତ ଖୋର୍ଦ୍ଧା-ବଲାଙ୍ଗୀର ପ୍ରକଳ୍ପ ପାଇଁ ଏବର୍ଷର ବଜେଟରେ ସର୍ବାଧିକ ୫୨୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ମାନେଶ୍ୱର ଷ୍ଟେଶନ ନିକଟରେ ଏକ ୱାଗନ୍‌ ମରାମତି କେନ୍ଦ୍ର ପାଇଁ ଚଳିତ ବର୍ଷ ପୁଣି ଥରେ ମଞ୍ଜରୀ ମିଳିଛି । ୨ଟି ପୁରୁଣା ରେଳପଥର ଦୋହରୀକରଣ ପାଇଁ ମୋଟା ଅଙ୍କର ଅର୍ଥବ୍ୟବସ୍ଥା କରାଯାଇଛି। ହେଲେ ଏଥିରେ ପଶ୍ଚିମ ଓଡିଶାର କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ସାମିଲ କରାଯାଇଛି। ସମ୍ବଲପୁର-ଗୋପାଳପୁର ନୂତନ ରେଳପଥର ୨୪୧ କିମି ପାଇଁ ୧୯୫୭ କୋଟି ଟଙ୍କାର ଅର୍ଥ ବ୍ୟବସ୍ଥା କରାଯାଇଛି । ସେହିପରି ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥକୁ ଗତବର୍ଷ ୩୫୦ କୋଟି ଟଙ୍କା ମିଳିଥିବା ବେଳେ ଚଳିତ ବଜେଟରେ ସର୍ବାଧିକ ୫୧୦ କୋଟି ବ୍ୟୟ ବରାଦ କରାଯାଇଛି । ସମ୍ବଲପୁର-ତାଳଚେର ୧୭୪.୧୧ କି.ମି. ରେଳପଥର ଦୋହରୀକରଣ ପାଇଁ ୨୯୨ କୋଟି, ସମ୍ବଲପୁର-ଟିଟିଲାଗଡ ୧୮୨.୧୧ କି.ମି. ରେଳପଥର ଦୋହରୀକରଣ ପାଇଁ ୩୮୨ କୋଟି, ବୃନ୍ଦାବନ-ଝାରସୁଗୁଡା ଫ୍ଲାଏଓଭର ପାଇଁ ୧୦ କୋଟି, ରାୟପୁର-ଟିଟିଲାଗଡ ୨୦୩ କି.ମି. ରେଳପଥ ପାଇଁ ୧୪୬ କୋଟି, ଝାରସୁଗୁଡା-ବିଳାସପୁର ଚତୁର୍ଥ ଲାଇନର ୨୦୬ କି.ମି. ରେଳପଥ ପାଇଁ ୨୮୦ କୋଟି, ରାଉରକେଲା-ଝାରସୁଗୁଡା ତୃତୀୟ ଲାଇନ ପାଇଁ ୧୭୦ କୋଟି, ବନ୍ଧାମୁଣ୍ଡା-ରାଉରକେଲା ଚତୁର୍ଥ ଲାଇନ ପାଇଁ ୨୩ କୋଟି ଏବଂ ଛତିଶଗଡ ଚାମ୍ପାରୁ ଝାରସୁଗୁଡାକୁ ତୃତୀୟ ଲାଇନ ପାଇଁ ୨୦ କୋଟି ଟଙ୍କାର ବ୍ୟବରାଦ କରାଯାଇଛି। କଳାହାଣ୍ଡି ଜିଲାରେ ଇଲେକ୍ଟ୍ରିକ ଇଞ୍ଜିନ ଓଭରହଲିଂ ୱାର୍କସପ୍‌ ପାଇଁ ୧ କୋଟି ଟଙ୍କା ବ୍ୟବସ୍ଥା ହୋଇଛି । ବ୍ରଜରାଜନଗର ଏବଂ ବେଲପାହାଡରେ ଥିବା ଖୋଲା ମୁହଁ କୋଇଲା ଖଣିର ସାଇଡିଂକୁ ଯୋଡିବା ପାଇଁ ବୟ ବରାଦ ରହିଛି। ଏପରି ସ୍ଥିତିକୁ ନେଇ ସାଧାରଣ ଅସନ୍ତୋଷ ଲାଗି ରହିଛି ା

Share