ପୁରୁଣାବଜାରରେ ଲାଠିଚାର୍ଜ, ଉତ୍ତେଜନା:ଘଟଣାସ୍ଥଳ ଅନୁଧ୍ୟାନ କଲେ ଆଇଜି, ଏସ୍‌ପି

ଭଦ୍ରକ ଅଫିସ, ୧୭-୯ ଏକ ଦୋକାନରେ ଉପାସନା କାର୍ଯ୍ୟ ଲାଗି ବିକ୍ରି ସକାଶେ ରଖାଯାଇଥିବା ଚାଦରକୁ ପୋଲିସ ଫିଙ୍ଗି ଦେବା ଘଟଣା ନେଇ ଭଦ୍ରକ ସହର ପୁରୁଣାବଜାର ଅଞ୍ଚଳରେ ସୋମବାର ସନ୍ଧ୍ୟାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। କ୍ରମେ ଉତ୍ତେଜନା ବଢ଼ି ଏହା ଉଗ୍ର ରୂପ ନେଇଥିଲା। ପୋଲିସର ଏଭଳି କାର୍ଯ୍ୟକୁ ଶତାଧିକ ଲୋକ ବିରୋଧ କରି ପୁରୁଣାବଜାର ଥାନା ଆଗରେ ରୁଣ୍ଡ ହୋଇ ପ୍ରତିବାଦ ଜଣାଇଥିଲେ। ଥାନାଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସେମାନେ ଦାବି କରିଥିଲେ। ପରିସ୍ଥିତି ଅଧିକ ଉତ୍ତେଜନାପୂର୍ଣ୍ଣ ହେବାରୁ ପୋଲିସକୁ ମୃଦୁ ଲାଠି ଚାଳନା କରିବାକୁ ପଡ଼ିଥିଲା। ଏଥିରେ ଦୁଇଜଣ ଗୁରୁତର ଆହତ ହୋଇ ଜିଲା ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ପୁରୁଣାବଜାର ଥାନା ସମ୍ମୁଖ ସମେତ ମେଡିକାଲ ଓ ଅନ୍ୟ ସମ୍ବେଦନଶୀଳ ଅଞ୍ଚଳରେ ୪ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବା ଅବସରରେ ଆଇଜି ଦିପ୍ତେଶ ପଟ୍ଟନାୟକ ଓ ଏସ୍‌ପି ରାଜେଶ ପଣ୍ଡିତ ଘଟଣାସ୍ଥଳ ପରିଦର୍ଶନ କରି ପରିସ୍ଥିତି ଉପରେ ନଜର ରଖିଛନ୍ତି। ଏହାମଧ୍ୟରେ ଥାନାଧିକାରୀ ପ୍ରଜ୍ଞା ମହାନ୍ତିଙ୍କୁ ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇ ତାଙ୍କ ସ୍ଥାନରେ ନାୟକାଣିଡିହୀ ଥାନାଧିକାରୀ ରତିକାନ୍ତ ଗିରିଙ୍କୁ ନିଯୁକ୍ତି ଦିଆଯାଇଛି। ଆଇଜି ପଟ୍ଟନାୟକ ଏବଂ ଏସ୍‌ପି ପଣ୍ଡିତ ଜିଲା ଚିକିତ୍ସାଳୟକୁ ଯାଇ ଆହତଙ୍କୁ ଭେଟି ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ଏ ସମ୍ପର୍କରେ ଆଇଜିଙ୍କୁ ପଚାରିବାରୁ କହିଛନ୍ତି, ମୋ ସରକାର ଯୋଜନାରେ ଲୋକଙ୍କ ସହ ବନ୍ଧୁତ୍ୱପୂର୍ଣ୍ଣ ବ୍ୟବହାର ପାଇଁ ପୋଲିସକୁ କୁହାଯାଇଛି। ଏହାସତ୍ତ୍ୱେ ପୋଲିସ ରୁକ୍ଷ ବ୍ୟବହାର କରିଥିଲେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ। ତେବେ ଲୋକଙ୍କ ଦାବିକୁ ଦୃଷ୍ଟିରେ ରଖି ଥାନାଧିକାରୀଙ୍କୁ ତୁରନ୍ତ ବଦଳି କରାଗଲା ବୋଲି ସେ କହିଛନ୍ତି।

Share