Categories: ଜାତୀୟ

ପୁରୁଣା ଟିମ୍‌ ସହ ସରକାର ଚଳାଇବେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୨।୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ ବହୁମତରେ ଆମ ଆଦମୀ ପାର୍ଟି (ଏଏପି) ବିଜୟ ଲାଭ କରିଛି। ଏହି ବିଜୟ ପରେ ଏଏପିର ମୁଖ୍ୟ ଅରବିନ୍ଦ କେଜରିଓ୍ବାଲ ହ୍ୟାଟ୍ରିକ କରିଛନ୍ତି। ଇତିମଧ୍ୟରେ କେଜରିଓ୍ବାଲ ଫେବୃୟାରୀ ୧୬ରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପଦ ପାଇଁ ରାମଲୀଳା ମଇଦାନରେ ତୃତୀୟ ଥର ଲାଗି ଶପଥ ଗ୍ରହଣ କରିବେ। ବୁଧବାର ଉପରାଜ୍ୟପାଳଙ୍କୁ ଭେଟିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ତେବେ କେଜରିଓ୍ବାଲ ନିଜର ପୁରୁଣା କ୍ୟାବିନେଟ ମନ୍ତ୍ରୀଙ୍କ ସହ ସରକାର ଗଠନ କରିବେ ବୋଲି ସୂତ୍ରରୁ ଜଣାପଡ଼ିଛି। ପୂର୍ବସରକାରରେ ଥିବା ମନ୍ତ୍ରୀମାନଙ୍କୁ ନେଇ ପୁଣି ଥରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି କେଜରିଓ୍ବାଲ। କାରଣ ଏହି ମନ୍ତ୍ରୀମାନଙ୍କ କାର୍ଯ୍ୟ ପାଇଁ ସେ ପୁଣି ଜନତାଙ୍କ ହୃଦୟ ଜିତିପାରିଛନ୍ତି ବୋଲି କେଜରିଓ୍ବାଲ କହିଛନ୍ତି। ତେବେ କେଜରିଓ୍ବାଲଙ୍କ ଏହି ମନ୍ତ୍ରିମଣ୍ଡଳରେ ମନୀଷ ସିସୋଡିଆ, ସତେନ୍ଦ୍ର ଜୈନ, ଗୋପାଲ ରାୟ, କୈଳାଶ ଗେହଲଟ ଓ ରାଜେନ୍ଦ୍ର ପାଲ ଗତମ ସାମିଲ ହୋଇପାରନ୍ତି ବୋଲି ଜଣାପଡ଼ିଛି।

Share