ପୁରୁଣା ବାରିପଦା ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟରେ ଛାତ୍ର ଅଶାନ୍ତି

କୁଆମରା,୧୯ା୧୦(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଗୋପବନ୍ଧୁନଗର ବ୍ଲକ ଅନ୍ତର୍ଗତ ପୁରୁଣା ବାରିପଦା ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟ ଜଣେ ଛାତ୍ର ଟିସି ନେବା ଘଟଣାକୁ ନେଇ କଲେଜ ପରିସରରେ ଶୁକ୍ରବାର ଉତ୍ତେଜନା ଦେଖାଦେଇଥିଲା। ଖବରପାଇ ପୋଲିସ ପହଞ୍ଚିି ପରସ୍ଥିତିକୁ ନିୟନ୍ତ୍ରଣ କରିଥିଲା।
ସୂଚନା ଅନୁଯାୟୀ, ଯୁକ୍ତ ତିନି ଦ୍ବିତୀୟ ବର୍ଷର ଜଣେ ଛାତ୍ର ୨୦୧୮ରେ ଉକ୍ତ କଲେଜରେ ନାମ ଲେଖାଇ ଥିଲେ। ତେବେ ଏଠାରେ ପାଠ ପଢ଼ା ଓ ଯିବା ଆସିବାରେ ଅସୁବିଧା ଯୋଗୁଁ ଚଳିତ ବର୍ଷ ସେ ଟିସି ନେବାକୁ ଚାହିଁଥିଲେ। ଛାତ୍ରଙ୍କ କହିବା ଅନୁଯାୟୀ ସେ ଗତ ମାସରେ କଲେଜକୁ ଆସି ତାଙ୍କର କଲେଜ ଫି କେତେ ବୋଲି ଦାୟିତ୍ୱରେ ଥିବା ଜଣେ କିରାଣୀଙ୍କୁ ପଚାରିବାରୁ ସେ ୫ହଜାର ୫ ଶହ ଟଙ୍କା କହିଥିଲେ। ଶୁକ୍ରବାର ଛାତ୍ର ଜଣକ ଟଙ୍କା ନେଇ କଲେଜ ଆସି ଟିସି ଦେବାକୁ କହିଥିଲେ। ମାତ୍ର କିରାଣୀ ଜଣକ ତାଙ୍କୁ ୭ ହଜାର ଟଙ୍କା ମାଗିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ଛାତ୍ରଙ୍କୁ ନେଇ କିରାଣୀ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ସେଠାରେ ୩ ଜଣଙ୍କ ମଧ୍ୟରେ ଯୁକ୍ତିତର୍କ ବଢିଥିଲା। ଏହି ଘଟଣାକୁ ନେଇ ଛାତ୍ରୀଛାତ୍ରୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଛାତ୍ରୀଛାତ୍ରମାନେ କଲେଜ ମୁଖ୍ୟ ଫାଟକରେ ତାଲା ପକାଇ ହୋହଲ୍ଲା କରିଥିଲେ। ତେବେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ପୂର୍ବରୁ ଖୁଣ୍ଟା ଥାନା ଆଇଆଇସି ନବକୃଷ୍ଣ ନାଏକ, ସେକେଣ୍ଡ ଅଫିସର ସୌମ୍ୟ ରଞ୍ଜନ ଭୋଳଙ୍କ ସମେତ ଏକ ପ୍ଲାଟୁନ ପୋଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ଉତ୍ତେଜିତ ଛାତ୍ରୀଛାତ୍ରମାନଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ଛାତ୍ରଛାତ୍ରୀଙ୍କ ଦାବିକୁ ଅଧ୍ୟକ୍ଷ ମାନିନେବା ପରେ ଗେଟ ତାଲା ଖୋଲିଥିଲା। ।