ପୁରୁଣା ବାରିପଦା କଲେଜରେ ଉତ୍ତେଜନା

କୁଆମରା ୪।୨(ଡିଏନଏ)- ଗୋପବନ୍ଧୁ ନଗର ବ୍ଲକ ଅନ୍ତର୍ଗତ ପୁରୁଣା ବାରିପଦା ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ମନୋଜ କୁମାର ସାହୁଙ୍କୁ ନେଇ କଲେଜର ସୋମବାର ପୁଣି ବିବାଦୀୟ ପରିସ୍ଥିତି ଦେଖାଦେଇଛି। ପୋଲିସ ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ପଡ଼ିଛି। ସୂଚନା ଅନୁଯାୟୀ, ଗତ ଅକ୍ଟୋବର ୧୮ ତାରିଖରେ ଜଣେ ଦ୍ବିତୀୟ ବର୍ଷର ଛାତ୍ର ଟିସି ନେବା ଘଟଣାରେ କଲେଜ ପରିସରରେ ଅଧ୍ୟକ୍ଷ ଓ ଛାତ୍ରୀଛାତ୍ରଙ୍କ ମଧ୍ୟରେ ତୁମୁଳ କାଣ୍ଡ ଘଟିଥିଲା। ଫଳରେ ଅଧ୍ୟକ୍ଷ ସାହୁଙ୍କୁ ପଦବୀରୁ ହଟାଇବା ପାଇଁ ଛାତ୍ରଛାତ୍ରୀମାନେ କଲେଜ ଗେଟରେ ତାଲା ପକାଇବା ସହ ଧାରଣାରେ ବସିଥିଲେ। ଏହି ଘଟଣାରେ ଅଧ୍ୟକ୍ଷଙ୍କ ନାମରେ ପୋଲିସ ଏକ ମାମଲା ମଧ୍ୟ ରୁଜୁ କରିଥିଲା। ଶେଷରେ ଦୀର୍ଘ ୧୮ ଦିନ ପରେ ଛାତ୍ରୀଛାତ୍ରଙ୍କ ଆନ୍ଦୋଳନ ଆଗରେ ପରିଚାଳନା କମିଟି ମୁଣ୍ଡ ନୁଆଁଇବା ସହ ଅଧ୍ୟକ୍ଷଙ୍କୁ ପଦବୀରୁ ହଟାଇବାକୁ ବାଧ୍ୟ ହୋଇଥିଲା। ନଭେମ୍ବର ୫ରେ ମହାବିଦ୍ୟାଳୟର ସ୍ବାଭାବିକ ପରିସ୍ଥିତି ଫେରିବା ସହ ଅନନ୍ତ ପ୍ରସାଦ ବେହେରାଙ୍କୁ ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଥିଲା। ଅନ୍ୟପକ୍ଷେ ପୂର୍ବତନ ଅଧ୍ୟକ୍ଷ ସାହୁ ଛୁଟି ନେଇ ରହିଥିଲେ। ତେବେ ଗତ ୨୪ ତାରିଖରେ ସରକାର ସମସ୍ତ କଲେଜର ପରିଚାଳନା କମିଟି ଭାଙ୍ଗି ଦେଇ ଥିବା ବେଳେ ୨୩ ତାରିଖରେ ଉକ୍ତ କଲେଜର ପରିଚାଳନା କମିଟି ଚଞ୍ଚକତା କରି ସାହୁଙ୍କୁ ପୁଣି ଅଧ୍ୟକ୍ଷ ପଦ ପ୍ରଦାନ କରିଥିଲେ। ତେବେ ସୋମବାର ପୂର୍ବତନ ଅଧ୍ୟକ୍ଷ ସାହୁ କଲେଜକୁ ଆସିଥିବା ବେଳେ ଛାତ୍ରୀଛାତ୍ର ଓ ଅଭିବାବକ ଏକାଠି ହୋଇ ତାଙ୍କୁ ବିରୋଧ କରିଥିଲେ। ଗଣ୍ଡଗୋଳ ଆଶଙ୍କା କରି ସାହୁ ଦିନ ତମାମ କାର୍ଯ୍ୟାଳୟ ମଧ୍ୟରୁ ବାହାରି ନ ଥିଲେ। ଖବରପାଇ ଖୁଣ୍ଟା ଥାନା ପୋଲିସ ପହଞ୍ଚି ଆଇନ ଶୃଙ୍ଖଳା ରକ୍ଷା କରିଥିଲେ। ଶେଷରେ ଛାତ୍ରୀଛାତ୍ର ଓ ଅଭିବାବକ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଅଭିଯୋଗ ଜଣାଇବା ପରେ ମାଜିଷ୍ଟ୍ରେଟ ଦାୟିତ୍ୱରେ ତହସିଲଦାର ସଂକଳ୍ପ ସ୍ବସ୍ତିକ ସାହୁ ପହଞ୍ଚି ଆଲୋଚନା କରିଥିଲେ। ଉପଜିଲାପାଳ ଘଟଣାର ଆଲୋଚନା କରି ସମାଧାନ ନ କରିବା ପର୍ଯ୍ୟନ୍ତ ପୂର୍ବତନ ଅଧ୍ୟକ୍ଷ ସାହୁ କଲେଜକୁ ନ ଆସିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏ ନେଇ ସାହୁଙ୍କୁ ପଚାରିବାରୁ ସେ କୌଣସି ମନ୍ତବ୍ୟ ଦେବାକୁ ମନା କରିଥିବା ବେଳେ ଅଧ୍ୟକ୍ଷ ଦାୟିତ୍ୱରେ ଥିବା ବେହେରା ଏ ଘଟଣା ସମ୍ପର୍କରେ କିଛି ଜାଣି ନାହାଁନ୍ତି ବୋଲି କହିଛନ୍ତି।

Share