କେନ୍ଦୁଝର, ୧୧ା୧ (ସ୍ବ.ପ୍ର.) ଆଗରୁ ଗ୍ରାମାଞ୍ଚଳରେ ଥିଲା କମାର ଶାଳ । ଲୋକେ ଛୁରି, ପନିକି, କଟୁରି, ଦା, କୋଦାଳ, ଟାଙ୍ଗିଆ ଆଦି କମାର ଶାଳରେ ପ୍ରସ୍ତୁତ କରିବା ସହ ଧାର କରିବା କାମ କରୁଥିଲେ। ଏବେ ଆଧୁନିକ ସଭ୍ୟତାରେ ଏସବୁ ସାମଗ୍ରୀ ହାଟ ବଜାରରେ ସୁବିଧାରେ ମିଳୁ ଥିବାରୁ ଗାଁଗଣ୍ଡାରେ କମାର ଶାଳ ଅଲୋଡା ହୋଇ ଧୀରେ ଧୀରେ ଲୋପ ପାଇବାକୁ ବସିଛି । ଆଗରୁ କମାର ଶାଳ ଚଳାଇ ଜୀବନ ନିର୍ବାହ କରୁଥିବା ସମ୍ପ୍ରଦାୟର ଲୋକେ ଏବେ ବୃତ୍ତିହରା ହୋଇ ଅନ୍ୟ ପନ୍ଥା ଦେଖିଲେଣି। ହେଲେ ମଧ୍ୟପ୍ରଦେଶର କମାର ସମ୍ପ୍ରଦାୟର ଯାଯାବର ଲୋକେ ଓଡ଼ିଶାକୁ ଆସି ଭ୍ରାମ୍ୟମାଣ କମାର ଶାଳ କରି ପେଟ ପୋଷିବା ଦେଖାଯାଉଛି। ସେମାନେ ହାତୁଡି ଧରି ଲୁହାକୁ ନିଆଁରେ ଗରମ କରି ପିଟି ପିଟି ସେଥିରୁ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି। ପରେ ସେମାନେ ଏହି ସାମଗ୍ରୀକୁ ନେଇ ବିଭିନ୍ନ ଗାଁଗଣ୍ଡା ଓ ହାଟ ବଜାର ବୁଲି ବିକ୍ରି କରୁଛନ୍ତି। ଏହି ଯାଯାବର ସମ୍ପ୍ରଦାୟର ଉଭୟ ମହିଳା ଓ ପୁରୁଷ ମିଶି ଏହି ବେପାର କରୁଛନ୍ତି। କେନ୍ଦୁଝର ଜିଲାକୁ ଆସିଥିବା କମାର ସମ୍ପ୍ରଦାୟର ଯାଯାବର ଲୋକେ ସଦର ବ୍ଲକ ଅଧୀନ ପଦ୍ମପୁରରେ ରହି ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରି ବିକ୍ରିବଟା କରୁଛନ୍ତି।
ମଧ୍ୟପ୍ରଦେଶରୁ ଆସିଥିବା ଏହି ସମ୍ପ୍ରଦାୟର ଲୋକେ ଖୁବ୍ ପରିଶ୍ରମୀ । ତମ୍ବୁ ଓ ପାଲ ଟାଣି ଅସ୍ଥାୟୀ ଘରେ ରହିଥାନ୍ତି। ସେମାନେ ବିଭିନ୍ନ ଅଞ୍ଚଳ ବୁଲି ପୁରୁଣା ଓ ପରିତ୍ୟକ୍ତ ଲୌହ ସାମଗ୍ରୀ ସଂଗ୍ରହ କରନ୍ତି। ପରେ ହାତକଳ ଚୁଲା ନିଆଁରେ ଏହାକୁ ଗରମ କରି ହାତୁଡିରେ ପିଟି ବିଭିନ୍ନ ଉପକରଣ ପ୍ରସ୍ତୁତ କରିଥାନ୍ତି। ମହିଳାମାନେ ମଧ୍ୟ ପୁରୁଷଙ୍କ ଭଳି ହାତୁଡି ଧରି ଏହି କାମ କରିଥାନ୍ତି। ପରେ ସେମାନେ ଏହାକୁ ନେଇ ଗାଁ ଗାଁ ବୁଲି ବିକ୍ରି କରିଥାନ୍ତି। ପଦ୍ମପୁରରେ ଲୁହା ସମାଗ୍ରୀ ତିଆରି କରି ବିକ୍ରି କରୁଥିବା ମାନସୀ ନାମ୍ନୀ ଜଣେ ମହିଳା କହିଛନ୍ତି, ‘ଆମ ଘର ମଧ୍ୟପ୍ରଦେଶରେ। ପ୍ରତି ବର୍ଷ ନିର୍ଦ୍ଦିଷ୍ଟ ସମୟରେ ଆସି ଏସବୁ ଜିନିଷ ବିକି ଚଳୁଛୁ। କେନ୍ଦୁଝର ସମେତ ଓଡିଶାର ବିଭିନ୍ନ ଅଞ୍ଚଳକୁ ଯାଇଥାଉ । ବର୍ଷକୁ ପ୍ରାୟ ୮ ମାସ ବାହାରେ ବେପାର କରି ପରେ ଗାଁକୁ ଫେରୁ । ଦୈନିକ ପାଖାପାଖି ପ୍ରାୟ ୫୦୦ରୁ ୧ ହଜାର ଟଙ୍କା ପର୍ଯ୍ୟନ୍ତ ବିକିଥାଉ । ଖରା ବର୍ଷା, ଶୀତ କାକରରେ ଟେଣ୍ଟ ତଳେ ମୁଣ୍ଡଗୁଞ୍ଜି ରହୁ। ଟେଣ୍ଟ ବାହାରେ ରୋଷେଇ କରିଥାଉ।’ କେବଳ ମାନସୀ ନୁହନ୍ତି, ଏହି ସମ୍ପ୍ରଦାୟର ସବୁ ଯାଯାବର ଲୋକେ ବିଭିନ୍ନ ଅଞ୍ଚଳରେ ହଜି ଯାଉଥିବା ପାରମ୍ପରିକ ବୃତ୍ତିକୁ ବଞ୍ଚାଇ ରଖି କିଭଳି ଆତ୍ମନିର୍ଭରଶୀଳ ହେବାକୁ ସଂଘର୍ଷ କରୁଛନ୍ତି, ତାହା ଦେଖିଲେ ବିସ୍ମୟ ଲାଗେ।