Categories: ଗଞ୍ଜାମ

ପୁରୁଣା ବ୍ରହ୍ମପୁରରେ ମାଙ୍କଡ଼ ଆତଙ୍କ: ୩୦ରୁ ଊର୍ଦ୍ଧ୍ୱ ଆହତ, ମାରିଦେବାକୁ ଅଞ୍ଚଳବାସୀଙ୍କ ଦାବି

ବ୍ରହ୍ମପୁର ଅଫିସ,୨୨ା୫: ଗଞ୍ଜାମ ଜିଲା ପୁରୁଣା ବ୍ରହ୍ମପୁର ଅଞ୍ଚଳରେ ଗତ ଏକ ମାସ ହେଲା ଏକ ପାଗଳ ହନୁମାଙ୍କଡ଼ର ଆତଙ୍କ ଦେଖିବାକୁ ମିଳିଛି। ମାଙ୍କଡ଼ଟି ସ୍ଥାନୀୟ ଅଞ୍ଚଳର ୩୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ କାମୁଡ଼ି ସାରିଲାଣି। ଭୟରେ ଲୋକମାନେ ଘରୁ ବାହାରକୁ ବାହାରୁ ନାହାନ୍ତି। ବନ ବିଭାଗ ଏହି ମାଙ୍କଡ଼କୁ ଧରିବା ପାଇଁ ବହୁ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଛି । ଏହାକୁ ନେଇ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ମାଙ୍କଡ଼କୁ ଗୁଳିକରି ମାରିଦେବାକୁ ଅଞ୍ଚଳବାସୀ ଦାବି କରୁଛନ୍ତି ।
ପ୍ରାୟ ଏକ ମାସ ପୂର୍ବେ ଏହି ମାଙ୍କଡ଼ ଉକ୍ତ ଅଞ୍ଚଳରେ ବୁଲୁଥିବା ଲୋକେ ଦେଖିବାକୁ ପାଇଥିଲେ। ପ୍ରଥମେ କେହି ଏହାକୁ ଗୁରୁତର ସହ ନେଇ ନ ଥିଲେ । ହେଲେ ଦିନକୁ ଦିନ ମାଙ୍କଡ଼ର ଉତ୍ପାତ ଦେଖିବାକୁ ମିଳିଥିଲା । ରାସ୍ତା ଘାଟ ଯେଉଁଠି ଲୋକଙ୍କୁ ଦେଖିଲା ଗୋଡ଼ାଇ ଗୋଡ଼ାଇ କାମୁଡ଼ିଲା। ପୁରୁଣା ବ୍ରହ୍ମପୁର ଅଞ୍ଚଳର ପାଣ୍ଡବ ନଗର, ମାର୍ଥାପେଟା ସାହି, ରାଧାକୃଷ୍ଣ ସାହି, ମେଣ୍ଟୁ ଛକ, ତୋଟା ସାହି, ଗଣେଶ ନଗର, ଲକ୍ଷ୍ମୀନୃସିଂହ ସାହି ଏବଂ ପ୍ରହଲ୍ଲାଦ ନଗରରେ ମାଙ୍କଡ଼କୁ ଦେଖିବାକୁ ମିଳୁଛି । ବର୍ତ୍ତମାନ ସୁଦ୍ଧା ୩୦ରୁ ଊର୍ଦ୍ଧ୍ୱ ଲୋକେ ମାଙ୍କଡ଼ କାମୁଡ଼ାରେ ଆହାତ ହେଲେଣି । ସେମାନଙ୍କ ମଧ୍ୟରୁ ୧୦ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଏ ନେଇ ସ୍ଥାନୀୟ ଲୋକେ ବନ ବିଭାଗର କର୍ମଚାରୀଙ୍କୁ ଜଣାଇବା ପରେ ସେମାନେ ଅଞ୍ଚଳ ସାରା ବୁଲିଥିଲେ ମଧ୍ୟ ମାଙ୍କଡ଼କୁ କାବୁ କରିପାରି ନାହାନ୍ତି। ବୁଧବାର ସକାଳେ ବ୍ରହ୍ମପୁର ରେଞ୍ଜ ରାଜା ରାଓ ସୁବୁଦ୍ଧିଙ୍କ ସମେତ ବନ ବିଭାଗର କର୍ମଚାରୀମାନେ ବାଟୁଳି, ଜାଲ ସହ ଅନ୍ୟାନ୍ୟ ସରଞ୍ଜାମ ଧରି ଅଞ୍ଚଳରେ ପହଞ୍ଚିଥିଲେ ମଧ୍ୟ ମାଙ୍କଡ଼କୁ କାବୁ କରିପାରି ନାହାନ୍ତି । ଗୋଟିଏ ପଟେ ବନ ବିଭାଗ ମାଙ୍କଡ଼କୁ ଧରିପାରୁ ନ ଥିବା ବେଳେ ଅନ୍ୟପଟେ ସ୍ଥାନୀୟ ଅଞ୍ଚଳର ଯୁବକମାନେ ହାତରେ ଠେଙ୍ଗା, ବାଡ଼ି ଧରି ସାହି ସାହି ବୁଲୁଛନ୍ତି । ନିଜ ନିଜ ଘର ଆଗରେ ଠେଙ୍ଗା ଧରି ଜଗିଛନ୍ତି । ପାଗଳ ମାଙ୍କଡ଼କୁ ମାରିଦେବା ପାଇଁ ସେମାନେ ଦାବି କରିଛନ୍ତି । ତେବେ ମାଙ୍କଡ଼କୁ ଟ୍ରାଙ୍କୁଲାଇଜ୍‌ କରିବା ପାଇଁ ଯୋଜନା ଚାଲିଥିବା ବନ ବିଭାଗର ଜଣେ ଅଧିକାରୀ ପ୍ରକାଶ କରିଛନ୍ତି ।