ପୁରୁଣା ଲିଙ୍ଗରାଜ ମାର୍କେଟ କମ୍ପ୍ଲେକ୍ସ ଭାଙ୍ଗିବ ପ୍ରଶାସନ

ପୁରୁଣା ଭୁବନେଶ୍ୱର,୨୯।୧୧(ଡି.ଏନ.ଏ.): ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱ ଉନ୍ନତୀକରଣ ତଥା ମନ୍ଦିର ଆୟ ବୃଦ୍ଧି ନେଇ ପର୍ଯ୍ୟଟନ ବିଭାଗ, ବିଏମସି ଓ ଦେବୋତ୍ତର ବିଭାଗ ମିଳିତ ପ୍ରୟାସରେ ନିର୍ମାଣାଧୀନ ନୂତନ ମାର୍କେଟ କମ୍ପ୍ଲେକ୍ସ ଦୋକାନ ଗୃହ ଆବଣ୍ଟନ ପ୍ରାୟତଃ ଶେଷ ହୋଇଛି। ଗୋଟିଏ ପଟେ ନୂତନ ମାର୍କେଟ କମ୍ପ୍ଲେକ୍ସ ଖୋଲିବାକୁ ଥିବାବେଳେ ପୁରାତନ ମାର୍କେଟ କମ୍ପ୍ଲେକ୍ସର ଦୋକାନ କରିଥିବା ବ୍ୟବସାୟୀଙ୍କୁ ଥଇଥାନ ନ କରି ଶୁକ୍ରବାର ଭାଙ୍ଗିବ ବୋଲି ପ୍ରଶାସନ ପକ୍ଷରୁ ପ୍ରଚାର କରିଛି। ପୁରାତନ ମାର୍କେଟ କମ୍ପ୍ଲେକ୍ସରେ ଶତାଧିକ ଦୋକାନ ଗୃହ ଥିବାବେଳେ ନୂତନ ମାର୍କେଟ କମ୍ପ୍ଲେକ୍ସରେ ମାତ୍ର ୫୮ଟି ଦୋକାନ ଗୃହ ନିର୍ମାଣ ହୋଇଛି। ପୁରାତନ ମାର୍କେଟ କମ୍ପ୍ଲେକ୍ସର ବ୍ୟବସାୟୀଙ୍କ ଛାଡ଼ି ଅନ୍ୟ ଲୋକଙ୍କ ମଧ୍ୟରେ ଦୋକାନ ଗୃହକୁ ଆବଣ୍ଟନ କରାଯାଇଛି। ମାଣବସା ଗୁରୁବାର ନିଜ ଦାନାପାଣି ଯୋଗାଉଥିବା ଦୋକାନ ନିଜ ହାତରେ ଭାଙ୍ଗି ଅସଜଡ଼ା ଆସବାବପତ୍ର ବୋହି ନେଉଥିବା ବ୍ୟବସାୟୀ ପ୍ରଶାନ୍ତ ମୁଦୁଲି କୋହଭରା କଣ୍ଠରେ ତାଙ୍କୁ ପର୍ଯ୍ୟଟନ ବିଭାଗ ଦାଣ୍ଡର ଭିକାରି କରିଦେଲା ବୋଲି କହିଥିଲେ। ଦିନତମାମ ଏହିଭଳି ଦୃଶ୍ୟ ପୁରାତନ ଲିଙ୍ଗରାଜ ମାର୍କେଟରେ ଦେଖିବାକୁ ମିଳିଥିଲା।

Share