ବେଜିଂ, ୯।୩: କରୋନା ସଂକ୍ରମଣ ଯୋଗୁ ପୃଥିବୀର ୧୦୧ ଦେଶରେ ଆତଙ୍କ ସୃଷ୍ଟି ହୋଇଛି। ବର୍ତ୍ତମାନ ସୁଦ୍ଧା ଚାଇନାରେ କରୋନା ଯୋଗୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଅଧିକ ପୁରୁଷ ରହିଥିବା ବେଳେ ଛୋଟ ପିଲା ଏବଂ ମହିଳାଙ୍କ ସଂଖ୍ୟା କମ୍ ରହିଛି। ଚାଇନିଜ୍ ସେଣ୍ଟର ଅଫ୍ ଡିଜିଜ୍ କଣ୍ଟ୍ରୋଲ ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନ ରିପୋର୍ଟରୁ ଏହା ଜଣାପଡ଼ିଛି। ଏଥିପାଇଁ ହୋଇଥିବା ସର୍ଭେରେ ୪୪ ହଜାର ଲୋକଙ୍କୁ ସାମିଲ୍ କରାଯାଇଥିଲା। ଜଣାପଡ଼ିଥିଲା କରୋନା ସଂକ୍ରମଣରେ ୨.୮ ପ୍ରତିଶତ ପୁରୁଷ ଏବଂ ୧.୭ ପ୍ରତିଶତ ମହିଳାଙ୍କ ମୃତ୍ୟୁ ଘଟିଛି। ସେହିପରି ଛୋଟ ପିଲା ଏବଂ କିଶୋରଙ୍କ ମୃତ୍ୟୁ ସଂଖ୍ୟା ୦.୨ ପ୍ରତିଶତ ରହିଛି। ୮୦ ବର୍ଷରୁ ଅଧିକ ବୟସ୍କ ୧୫ ପ୍ରତିଶତ ଲୋକଙ୍କ ଏଥିରେ ମୃତ୍ୟୁ ଘଟିଥିବା ଅଧ୍ୟୟନ ରିପୋର୍ଟରେ ଦର୍ଶାଯାଇଛି। ଫ୍ଲୁ ସହିତ ଅନ୍ୟ ସଂକ୍ରମଣ କ୍ଷେତ୍ରରେ ମଧ୍ୟ ଏଭଳି ସମାନ ସ୍ଥିତି ଦେଖାଦେଇଥାଏ ବୋଲି ରିପୋର୍ଟରେ କୁହାଯାଇଛି। ବିଭିନ୍ନ ସଂକ୍ରମଣ ମୁଖ୍ୟତଃ ଜୀବନ ଶୈଳୀ ଆଧାରରେ ହୋଇଥାଏ। ପୁରୁଷମାନେ ଅଧିକ ସମୟ ବାହାରେ ବିତାଇବା ସହିତ ମଦ୍ୟପାନ, ସିଗାରେଟ, ତମାଖୁ ଆଦିର ବ୍ୟବହାର କରୁଥିବାରୁ ସେମାନଙ୍କଠାରେ ସଂକ୍ରମଣର ଆଶଙ୍କା ଅଧିକ ରହିଥିବା ରିପୋର୍ଟ ପ୍ରକାଶ ପାଇଛି।