Categories: ଜାତୀୟ

ପୁରୁଷଙ୍କ ବିନା ହଜ୍‌କୁ ଯାଉଥିବା ମହିଳାଙ୍କ ଭିତରେ ୮୬ ପ୍ରତିଶତ କେରଳବାସିନ୍ଦା: ରିପୋର୍ଟ

ଥିରୁଭାନନ୍ତପୁରମ୍‌,୨୦।୪: ନିକଟରେ ହଜ୍‌ ଯାଉଥିବା ମହିଳା ଓ ପୁରୁଷଙ୍କ ଭିତରେ କିଏ ଅଧିକ ସଂଖ୍ୟକ ରହିଛନ୍ତି ସେନେଇ ଏକ ସରକାରୀ ସର୍ଭେ କରାଯାଇଥିଲା। ରିପୋର୍ଟ ଅନୁସାରେ, ଭାରତରୁ ସାଉଦିଆରବ ହଜ୍‌ଯାତ୍ରାରେ ଅଧିକାଂଶ ମହିଳା, ପୁରୁଷଙ୍କ ବିନା ସେଠାକୁ ଯାଇଥାନ୍ତି। ସେଥିମଧ୍ୟରୁ ୮୬ ପ୍ରତିଶତ ମହିଳା ହେଉଛନ୍ତି କେରଳର। ଏକୁଟିଆ ଯାଉଥିବା ୨୩୪୦ ମହିଳାଙ୍କ ଠାରୁ ୨୦୧୧ ମହିଳା ହେଉଛନ୍ତି କେବଳ କେରଳର। ଚଳିତ ଥର ହଜ୍‌ରେ ଯିବା ପାଇଁ କେରଳରେ ପୁରୁଷଙ୍କ ଅପେକ୍ଷା ବେଶୀ ମହିଳା ଆବେଦନ କରିଥିବା ଜଣାପଡ଼ିଛି। କେରଳରୁ ପ୍ରାୟ ୧୧ହଜାରୁ ଊର୍ଦ୍ଧ୍ୱ ଯାତ୍ରୀ ହଜ୍‌କୁ ଯାଉଥିବା ବେଳେ ସେଥିରୁ ୬୯୫୯ ମହିଳା ଓ ୪୫୧୩ ପୁରୁଷ ରହିଛନ୍ତି। ଗତବର୍ଷ ସରକାର ନିୟମରେ ପରିବର୍ତ୍ତନ କରି ୪୫ବର୍ଷରୁ ଊର୍ଦ୍ଧ୍ୱ ମହିଳାମାନେ ବିନା କୌଣସି ପୁରୁଷ ସାଥୀଙ୍କ ସହ ସେଠାକୁ ଯାଇପାରିବେ ବୋଲି ମଞ୍ଜୁରୀ ଦେଇଥିଲେ। ତେବେ ଏହାର ପୂରା ଲାଭ କେରଳର ମହିଳାମାନେ ଉଠାଇଛନ୍ତି। ଗତବର୍ଷ ମଧ୍ୟ ଏକୁଟିଆ ଯାଇଥିବା ୧୩୪୦ ମହିଳାଙ୍କ ଠାରୁ ୧୧୨୪ ମହିଳା କେବଳ କେରଳରେ ଥିଲେ। ଚଳିତ ଥର ଉତ୍ତରପ୍ରଦେଶରୁ ୯୯ ଓ ପଶ୍ଚିମ ଭାରତରୁ କେବଳ ୩୯ ମହିଳା ଏକୁଟିଆ ହଜ୍‌କୁ ଯିବେ। ସେହିପରି ତାମିଲନାଡୁର ୩୭, ମହାରାଷ୍ଟ୍ର ୩୧, ରାଜସ୍ଥାନରୁ ୨୬ ଓ କର୍ନାଟକରୁ ୨୩ ମହିଳା ରହିଛନ୍ତି। ଅପରପକ୍ଷରେ ଦିଲ୍ଲୀରୁ ୧୨, ବିହାରରୁ ୯, ଆସାମରୁ ୮, ଝାଡ଼ଖଣ୍ଡରୁ ୫ ଓ ଛତିଶଗଡ଼ରୁ ୪ ମହିଳା ଏଥର ଏକୁଟିଆ ହଜ୍‌ଯାତ୍ରା କରିବେ ବୋଲି ସର୍ଭେରୁ ଜଣାପଡ଼ିଛି।

Share