ପୁରୁଷଙ୍କ ଭଳି ମହିଳାଙ୍କୁ ସମାନ ଅଧିକାର ମିଳିଛି

ଭୁବନେଶ୍ୱର,୧୧ା୧୨(ବ୍ୟୁରୋ):ସମଗ୍ର ବିଶ୍ୱରେ ମାନବିକ ଅଧିକାରର ସୁରକ୍ଷା ସବୁଠୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇଛି। ଆଜି ପୁରୁଷମାନଙ୍କ ଭଳି ମହିଳାଙ୍କୁ ମଧ୍ୟ ସମାନ ଅଧିକାର ମିଳିପାରିଛି। ମାନବିକ ଅଧିକାର କର୍ମୀମାନେ ଏ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ମଙ୍ଗଳବାର ରାଜ୍ୟ ମାନବାଧିକାର ଆୟୋଗ ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଭବନରେ ବିଶ୍ୱ ମାନବାଧିକାର ଦିବସ ଅନୁଷ୍ଠିତ ହୋଇଥିଲା। ମୁଖ୍ୟଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ କହିଲେ, ମୋ ସରକାର ମହିଳା, ଶିଶୁ ଓ ଜନସାଧାରଣଙ୍କ ସୁରକ୍ଷା, ଅଧିକାର ଏବଂ ସମ୍ମାନ ରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ। ଏଥିପାଇଁ ସଚେତନତାଠାରୁ ଆରମ୍ଭ କରି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଥିବା ସେ କହିଥିଲେ।
ସୁପ୍ରିମକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଗୋପାଳବଲ୍ଲଭ ପଟ୍ଟନାୟକ ଅନ୍ୟତମ ଅତିଥି ଭାବେ ଯୋଗଦେଇ ପ୍ରତ୍ୟେକ ନାଗରିକଙ୍କ ସମସ୍ତ ପ୍ରକାର ଅଧିକାରର ସୁରକ୍ଷା ସମାଜର ମୁଖ୍ୟ ଦାୟିତ୍ୱ ବୋଲି କହିଥିଲେ। ଗୃହ ନିର୍ମାଣ ଓ ନଗର ଉନ୍ନୟନ, ଆଇନ ଓ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରତାପ ଜେନା କହିଲେ, ମାନବିକ ଅଧିକାର ଆୟୋଗ ଦୀର୍ଘ ୧୬ବର୍ଷ ଧରି ରହିଥିବା ଆଇନର ପ୍ରୟୋଗ ଓ ଅଧିକାର ପ୍ରଦାନରେ ନିରପେକ୍ଷତା ଜାରି ରଖିଛି। ରାଜ୍ୟରେ ଜନସାଧାରଣଙ୍କ ସ୍ବାଧୀନ ମୌଳିକ ଅଧିକାର ଓ ସୁରକ୍ଷା ପ୍ରଦାନ କ୍ଷେତ୍ରରେ ଦୃଷ୍ଟାନ୍ତମୂଳକ ବିକାଶ ଘଟିଛି। ଓଡିଶା ମାନବାଧିକାର ଆୟୋଗ (ଓଏଚ୍‌ଆର୍‌ସି) ଅଧ୍ୟକ୍ଷ ବିମଳ ପ୍ରସାଦ ଦାସ ସରକାରଙ୍କ ୫-ଟି ଯୋଜନା ମାଧ୍ୟମରେ ନାଗରିକଙ୍କ ଅଧିକାର ପ୍ରକୃତରେ ସୁରକ୍ଷିତ ହୋଇପାରିବ ବୋଲି ଆଶା ପ୍ରକାଶ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଓଏଚ୍‌ଆର୍‌ସିର ପୂର୍ବତନ କାର୍ଯ୍ୟକାରୀ ଅଧ୍ୟକ୍ଷ ସୁଧାଂଶୁ ମୋହନ ପଟ୍ଟନାୟକ, ଆର୍‌. ଏନ୍‌. ବହିଦାର, ଜଷ୍ଟିସ ବୀର କିଶୋର ମିଶ୍ର ଓ ପୂର୍ବତନ ପ୍ରଶାସକ ତଥା ଆୟୋଗ ସଦସ୍ୟ ବିଜୟ କୁମାର ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଓଏଚ୍‌ଆର୍‌ସି ସଦସ୍ୟ ଜଷ୍ଟିସ ଅସୀମ ଅମିତାଭ ଦାସ ସ୍ବାଗତ ଭାଷଣ ଦେଇଥିବାବେଳେ ଅନ୍ୟତମ ସଦସ୍ୟ ଜଷ୍ଟିସ ରଘୁବୀର ଦାସ, ସୂଚନା ଲୋକସମ୍ପର୍କ ବିଭାଗ କମିଶନର ତଥା ଶାସନ ସଚିବ ସଞ୍ଜୟ କୁମାର ସିଂ, ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର, ଅତିରିକ୍ତ ନିର୍ଦ୍ଦେଶକ ନିରଞ୍ଜନ ସେଠୀ, ମାନବାଧିକାର ଆୟୋଗ ସଚିବ ସୁନୀଲ କୁମାର ନାୟକ, ଅତିରିକ୍ତ ଡିଜି ବିନୟାନନ୍ଦ ଝା, ରେଜିଷ୍ଟ୍ରାର ଶେଖ୍‌ ମହମ୍ମଦ କ୍ୟୁସି, ଯୁଗ୍ମ ସଚିବ ଜ୍ୟୋତି ଏମ. ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Share