Categories: ଖେଳ

ପୁରୁଷଙ୍କ ସମକକ୍ଷ ପାଉଣା ଦାବି ଉଚିତ୍‌ ନୁହଁ: ମାନ୍ଧନା

ମୁମ୍ବାଇ,୨୩।୧(ପି.ଟି.)- ପୁରୁଷ ଓ ମହିଳା କ୍ରିକେଟରଙ୍କୁ ସମାନ ପାଉଣା ଦିଆଯିବା ଉପରେ ମତ ରଖିଛନ୍ତି ତାରକା ମହିଳା କ୍ରିକେଟର ସ୍ମୃତି ମାନ୍ଧନା। ପୁରୁଷ ଓ ମହିଳା କ୍ରିକେଟରଙ୍କୁ ସମାନ ପାଉଣା ଦିଆଯିବା ଉଚିତ୍‌ ନୁହଁ। ପୁରୁଷ କ୍ରିକେଟରୁ ଅଧିକ ରାଜସ୍ବ ଆଦାୟ ହୋଇଥାଏ। ଏହାକୁ ଆମେ ବୁଝିବା ଆବଶ୍ୟକ। ତେଣୁ ପୁରୁଷଙ୍କ ଭଳି ମହିଳାଙ୍କୁ ସମାନ ପାଉଣା ଦିଆଯିବା ଉଚିତ୍‌ ନୁହଁ ବୋଲି ସେ କହିଛନ୍ତି। ଚଳିତ ବର୍ଷ ମାନ୍ଧାନ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ମହିଳା କ୍ରିକେଟର ଅଫ୍‌ ଦି ଇୟର ପୁରସ୍କାର ହାସଲ କରିଥିଲେ।
ଯେଉଁଦିନ ମହିଳା କ୍ରିକେଟରୁ ରାଜସ୍ବ ମିଳିବା ଆରମ୍ଭ ହେବ ସେଦିନ ମହିଳା କ୍ରିକେଟରଙ୍କୁ ଅଧିକ ପାଉଣା ଦିଆଯିବାକୁ ଆଗ କହିବି। କିନ୍ତୁ ବର୍ତ୍ତମାନ ଏଭଳି ଦାବି କରାଯିବାର ମାନେ କିଛି ନାହିଁ ବୋଲି ସେ କହିଛନ୍ତି। ଉଲ୍ଲେଖଥାଉ କି, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) କେନ୍ଦ୍ରୀୟ ଚୁକ୍ତିରେ ସ୍ଥାନ ପାଇଥିବା ଜଣେ ଆଗଧାଡିର ପୁରୁଷ କ୍ରିକେଟର ବାର୍ଷିକ ୭ କୋଟି ଟଙ୍କା ପାଉଣା ପାଇଥାଏ। ତେବେ ଜଣେ ଆଗଧାଡିର ମହିଳା କ୍ରିକେଟରଙ୍କୁ ମାତ୍ର ୫୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥାଏ। ତେବେ ପାଉଣା ନେଇ ତୁଳନା ହେବା ଉଚିତ୍‌ ନୁହଁ ବୋଲି ସେ ସ୍ପଷ୍ଟ କରିଛନ୍ତି।
ଅଷ୍ଟ୍ରେଲିଆରେ ବିଶ୍ୱକପ୍‌ ଖେଳିବା ପୂର୍ବରୁ ଭାରତ ଏକ ତ୍ରିରାଷ୍ଟ୍ରୀୟ ସିରିଜ ଖେଳିବାର କାର୍ଯ୍ୟକ୍ରମ ରହିଛି। ବିଶ୍ୱକପ୍‌ ପ୍ରସ୍ତୁତିରେ ଏହି ସିରିଜ ବେଶ୍‌ ସହାୟ ହେବ ବୋଲି ମାନ୍ଧନା କହିଛନ୍ତି। ଗତ ଗୋଟିଏ ବର୍ଷ ହେବ ଆମେ ଟି୨୦ ବିଶ୍ୱକପ୍‌ ପାଇଁ ପ୍ରସ୍ତୁତ ଆରମ୍ଭ କରିଛୁ। ଅଭିଜ୍ଞ ଓ ଯୁବ ଖେଳାଳିଙ୍କୁ ନେଇ ଆମ ଦଳ ବେଶ୍‌ ସନ୍ତୁଳିତ। ତେଣୁ ବିଶ୍ୱକପ୍‌ରେ ଭାରତ ଭଲ ପ୍ରଦର୍ଶନ କରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ଶ୍ରୀଲଙ୍କାର କୁମାରା ସାଙ୍ଗକାରା ଓ ଭାରତୀୟ ଅଧିନାୟକ ବିରାଟ କୋହଲି ମୋର ଆଦର୍ଶ ବୋଲି ମାନ୍ଧାନା କହିଛନ୍ତି।

Share