ପୁରୁଷୋତ୍ତମପୁର,୧୭।୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ କରୋନା କଟକଣା ନେଇ ପ୍ରଶାସନ ବୁଧବାର କଠୋର ହୋଇଛି। ଏ ନେଇ ୪ଟି ଦୋକାନ ସିଲ୍ କରାଯାଇଛି। ସେଥିମଧ୍ୟରେ ରହିଛି ଏକ ଜେନେରାଲ ଷ୍ଟୋର ଗୋଦାମ, ଲେଡିଜ କର୍ନର, ଇଲେକ୍ଟ୍ରୋନିକ୍ସ ଦୋକାନ, ମିଠା ଦୋକାନ। ଜିଲା ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ଲକ୍ଡାଉନ୍ କଟକଣାକୁ ନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବାରମ୍ବାର ସଚେତନ କରିବା ସହ ଡାକବାଜି ଯନ୍ତ୍ର ଯୋଗେ ପ୍ରଚାରକରି ସତର୍କ କରାଯାଉଛି। ମାତ୍ର ଏହି କଟକଣାକୁ ବେଖାତିର କରି କିଛି ଦୋକାନୀ ବ୍ୟବସାୟ କରିବାରେ ଲାଗିଛନ୍ତି। ଏ ନେଇ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ଅତିରିକ୍ତ ତହସିଲଦାର ସୁନୀଲ କୁମାର ଟୁଡୁଙ୍କ ଉପସ୍ଥିତିରେ ଏନ୍ଏସି ନିର୍ବାହୀ ଅଧିକାରୀ ନାଗେଶ୍ବର ରାଓ, ପୁରୁଷୋତ୍ତମ ଥାନା ଏଏସ୍ଆଇ ରବୀନ୍ଦ୍ର ନାଥ ପାଣିଗ୍ରାହୀ, ପଦ୍ମନାଭ ଗୌଡଙ୍କ ସମେତ ପୋଲିସ ଫୋର୍ସ ଓ ଏନ୍ଏସି କର୍ମଚାରୀମାନେ ଏହି ଦୋକାନଗୁଡିକୁ ସିଲ୍ କରିଛନ୍ତି। ସିଲ୍ ହୋଇଥିବା ଏହି ଦୋକାନଗୁଡିକ ଜୁନ୍ ୩୦ ତାରିଖରେ ଲକଡାଉନ ଅବଧି ଶେଷ ହେବା ପରେ ଖୋଲାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।