Categories: ଗଞ୍ଜାମ

ପୁରୁଷୋତ୍ତମପୁରରେ ପୁଣି ମାତିଲେ ଲୁଟେରା : ବନ୍ଧୁକମୁନରେ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କଠାରୁ ଲୁଟ୍‌

ପୁରୁଷୋତ୍ତମପୁର,୧୫।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ଲୁଟେରାମାନେ ପୁଣି ମାତିଛନ୍ତି। ଭୂତସରସିଙ୍ଗ – କୋଦଳା ମୁଖ୍ୟରାସ୍ତାର ଅରଖପୁର ଛକ ଭଙ୍ଗାଶଙ୍ଖ ନିକଟରେ ସୋମବାର ସକାଳେ କଳାମୁଖାଧାରୀ ଲୁଟେରାମାନେ ଅରଖପୁର ପଞ୍ଚାୟତ ନିର୍ବାହୀ ଅଧିକାରୀ କାଶୀନାଥ ତିଆଡ଼ିଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ମୋଟରସାଇକେଲ, ୧୨ ହଜାର ଟଙ୍କା, ଅଫିସ ରେକର୍ଡପତ୍ର, ପାସ୍‌ବୁକ, ଚେକବୁକ୍‌ ଆଦି ଲୁଟି ନେଇଛନ୍ତି। ଆହତ ନିିର୍ବାହୀ ଅଧିକାରୀଙ୍କୁ ରାସ୍ତାରେ ଆସୁଥିବା କିଛି ବ୍ୟକ୍ତି ଉଦ୍ଧାର କରି ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ଖବର ପାଇ ପୁରୁଷୋତ୍ତମପୁର ବ୍ଲକ ଅଧ୍ୟକ୍ଷ ସୂର୍ଯ୍ୟନାରାୟଣ ପଣ୍ଡା ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଘଟଣା ସମ୍ପର୍କରେ ପୋଲିସ ଓ ବିଡିଓଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଥାନା ଆଇଆଇସି ଜଗନ୍ନାଥ ମଲ୍ଲିକ ଘଟଣାସ୍ଥଳକୁ ଯାଇ ତଦନ୍ତ ଚଲାଇଛନ୍ତି।
ନିିର୍ବାହୀ ଅଧିକାରୀଙ୍କଠାରୁ ପ୍ରକାଶ, ସେ ଭୀମପୁର ଗ୍ରାମରେ ରହୁଥିବା ଭଡ଼ାଘରୁ ମୋଟରସାଇକେଲ ଡିକିରେ ୧୨ ହଜାର ଟଙ୍କା, ଅଫିସ ରେକର୍ଡପତ୍ର, ବ୍ୟାଙ୍କ ପାସବୁକ୍‌ ଆଦି କାଗଜପତ୍ର ଧରି ପଞ୍ଚାୟତ କାର୍ଯ୍ୟାଳୟକୁ ଭତ୍ତା ଟଙ୍କା ବାଣ୍ଟିବା ଲାଗି ଯାଉଥିଲେ। ଏହି ସମୟରେ ପଛରୁ ଏକ ମୋଟରସାଇକେଲରେ ତିନି ଜଣ ଦୁର୍ବୃତ୍ତ ମୁହଁରେ କଳା ମୁଖାପିନ୍ଧି ତାଙ୍କର ଗାଡ଼ିକୁ ଅତର୍କିତ ଭାବେ ଧକ୍କା ମାରିଥିଲେ। ଫଳରେ ସେ ତଳେ ପଡ଼ିଯିବା ପରେ ଲୁଟେରାମାନେ ମୁଣ୍ଡରେ ବନ୍ଧୁକ ଲଗାଇବା ସହ ମାଡ଼ମାରି ଟଙ୍କା, ଗାଡ଼ି ସହ ଅନ୍ୟାନ୍ୟ ଦରକାରୀ କାଗଜପତ୍ର ନେଇ କୋଦଳା ଅଭିମୁଖେ ଚମ୍ପଟ ମାରିଥିଲେ।