Categories: ଖେଳ

ପୁରୁଷ ଦିନିକିଆରେ ଲକ୍ଷ୍ମୀ ପ୍ରଥମ ମହିଳା ରେଫରି

ଦୁବାଇ,୬।୧୨(ପି.ଟି.)- ପୂର୍ବତନ ଭାରତୀୟ କ୍ରିକେଟର ଜି.ଏସ୍‌. ଲକ୍ଷ୍ମୀ ପ୍ରଥମ ମହିଳା ରେଫରି ଭାବେ କୌଣସି ପୁରୁଷ ଦିନିକିଆ ମ୍ୟାଚ୍‌ ଦାୟିତ୍ୱରେ ରହିବେ। ୟୁନାଇଟେଡ୍‌ ଆରବ ଏମିରେଟ୍ସରେ ରବିବାର ଆରମ୍ଭ ହେବାକୁ ଥିବା ଓ୍ବାଲର୍‌ହ କପ୍‌ ଲିଗ୍‌ ୨ର ତୃତୀୟ ସିରିଜର ଉଦ୍‌ଘାଟନୀ ମ୍ୟାଚ୍‌ରେ ସେ ରେଫରି ଦାୟିତ୍ୱ ତୁଲାଇବେ। ଏହି ମ୍ୟାଚ୍‌ରେ ୟୁନାଇଟେଡ ଆରବ ଏମିରେଟ୍ସ ଓ ଆମେରିକାର ପରସ୍ପରକୁ ଭେଟିବେ। ଚଳିତ ବର୍ଷ ଲକ୍ଷ୍ମୀ ଦ୍ୱିତୀୟଥର ପାଇଁ ଏଭଳି ବଡ଼ ଧରଣର ସଫଳତା ହାସଲ କରିଛନ୍ତି। ଗତ ମେ’ ମାସରେ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି)
ଇଣ୍ଟରନ୍ୟାସନାଲ ପ୍ୟାନେଲ ଅଫ୍‌ ମ୍ୟାଚ୍‌ ରେଫରିରେ ସେ ନିଯୁକ୍ତି ପାଇ ବଡ଼
ଧରଣର ସଫଳତା ହାସଲ କରିଥିଲେ। ପୂର୍ବରୁ ୫୧ ବର୍ଷୀୟା ଲକ୍ଷ୍ମୀ ୨୦୦୮-୦୯ରେ ଘରୋଇ ମହିଳା କ୍ରିକେଟରେ ମ୍ୟାଚ୍‌ ପରିଚାଳନା କରିବାର ସୁଯୋଗ ହାସଲ କରିଥିଲେ। ଏପର୍ଯ୍ୟନ୍ତ ସେ ୩ଟି ମହିଳା ଦିନିକିଆ ମ୍ୟାଚ୍‌, ୧୬ଟି ପୁରୁଷ ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଓ ୭ଟି ମହିଳା ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ରେଫରି ଭାବେ ପରିଚାଳନା କରିଛନ୍ତି। କୌଣସି ଆଇସିସି ଇଭେଣ୍ଟରେ ମ୍ୟାଚ୍‌ ପରିଚାଳନା କରିବାର ସୁଯୋଗ ମିଳିଥିବାରୁ ଲକ୍ଷ୍ମୀ ଖୁସି ଜାହିର କରିଛନ୍ତି। ଆଇସିସି ସିନିୟର ମ୍ୟାନେଜର ତଥା ଅମ୍ପାୟର ଓ ରେଫରି ଆଡ୍ରିଆନ୍‌ ଗ୍ରିଫି ଲକ୍ଷ୍ମୀଙ୍କୁ ଏଥିପାଇଁ ଅଭିନନ୍ଦନ ଜଣାଇଛନ୍ତି। ଲକ୍ଷ୍ମୀ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ବୋଲି ସେ କହିଛନ୍ତି।

Share