Categories: ଜାତୀୟ

ପୁଲଓ୍ବାମା ଆକ୍ରମଣର ପୁଣିଥରେ ଯାଞ୍ଚ୍‌ ଦାବି କଲା କଂଗ୍ରେସ: ଦାବିନ୍ଦରଙ୍କ ପଛରେ କାହାର ମାଷ୍ଟର ମାଇଣ୍ଡ୍‌ ?

ନୂଆଦିଲ୍ଲୀ,୧୪।୧: ଆତଙ୍କବାଦୀଙ୍କ ସହିତ ସମ୍ପର୍କ ଥିବା ଅଭିଯୋଗରେ ଡିଏସ୍‌ପି ଦାବିନ୍ଦର ସିଂଙ୍କୁ ଗିରଫ କରାଯାଇ ପଚରାଉଚରା ଜାରି ରହିଛି। ତାଙ୍କର ଆତଙ୍କବାଦୀ ଅଫଜଲ ଗୁରୁଙ୍କ ସହିତ ସମ୍ପର୍କ ଥିବା ଜଣାପଡ଼ିଛି। ଏହି ମାମଲାରେ କଂଗ୍ରେସ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ କଡ଼ା ସମାଲୋଚନା କରାଯାଇଛି। ପୁଲଓ୍ବାମା ଆକ୍ରମଣର ପୁଣିଥରେ ନୂଆ କରି ଯାଞ୍ଚ୍‌ କରିବାକୁ କଂଗ୍ରେସ ପକ୍ଷରୁ ଅଧୀର ରଞ୍ଜନ ଚୌଧୁରୀ ଟୁଇଟ୍‌ କରି ଦାବି କରିଛନ୍ତି। ସେହିପରି କଂଗ୍ରେସ ପ୍ରବକ୍ତା ରଣଦୀପ୍‌ ସୁରଜଓ୍ବାଲା କହିଛନ୍ତି ପୁଲଓ୍ବାମା ଆକ୍ରମଣ ସମୟରେ ଦାବିନ୍ଦର ସେଠାରେ ଥିଲେ। ଏହି ଘଟଣାରେ ତାଙ୍କର ଭୂମିକା କ’ଣ ଥିଲା ସେ ନେଇ ଯାଞ୍ଚ କରାଯିବା ଆବଶ୍ୟକ। ସେହିପରି ୨୦୦୧ରେ ପାର୍ଲାମେଣ୍ଟ ଉପରେ ହୋଇଥିବା ଆକ୍ରମଣରେ ଦାବିନ୍ଦରଙ୍କ ଭୂମିକା ଉପରେ ସେ ପ୍ରଶ୍ନ ଉଠାଇଛନ୍ତି। ଦାବିନ୍ଦର ଆତଙ୍କବାଦୀଙ୍କ ସହିତ ଯୋଗାଯୋଗରେ ଥିଲେ ନା ସେ ଏଭଳି ଷଡ଼ଯନ୍ତ୍ରର ଏକ ମାଧ୍ୟମ ଭାବେ କାମ କରୁଥିଲେ ତାହାର ତଦନ୍ତ ହେବା ଆବଶ୍ୟକ। ଦାବିନ୍ଦରଙ୍କ ପଛରେ କାହାର ମାଷ୍ଟର ମାଇଣ୍ଡ୍‌ ରହିଛି ସେ ନେଇ ତଦନ୍ତ ହେବା ଆବଶ୍ୟକ ବୋଲି ରଣଦୀପ୍‌ କହିଛନ୍ତି।

Share