Categories: ଜାତୀୟ

ପୁଲ୍‌ଓ୍ବାମାରେ ପୁଣି ଆତଙ୍କବାଦୀ ଆକ୍ରମଣ

ଶ୍ରୀନଗର,୧୮ା୬(ଆଇଏଏନ୍‌ଏସ୍‌): ଜମ୍ମୁ-କଶ୍ମୀରର ପୁଲ୍‌ଓ୍ବାମା ଜିଲାରେ ଆତଙ୍କବାଦୀମାନେ ପୁଣି ଥରେ ସୁରକ୍ଷା କର୍ମୀଙ୍କୁ ଆକ୍ରମଣ କରିଛନ୍ତି। ସେମାନଙ୍କ ଆକ୍ରମଣରେ ୪ ଜଣ ଯବାନ ଆହତ ହୋଇଛନ୍ତି। ସୋମବାର ୪୪ ରାଷ୍ଟ୍ରୀୟ ରାଇଫଲ୍ସର ଗାଡ଼ିଗୁଡିକୁ ଆତଙ୍କବାଦୀମାନେ ଟାର୍ଗେଟ କରି ଆଇଇଡି (ଉନ୍ନତ ମାନର ବିସ୍ଫୋରକ)ରେ ଆକ୍ରମଣ କରିଥିଲେ। ଅରିହାଲ-ଲସିପୋରା ରାସ୍ତା ଦେଇ ଯବାନମାନଙ୍କ ଯାନ ଯାଉଥିବାବେଳେ ଅରିହାଲ ଗ୍ରାମ ନିକଟରେ ଆଇଇଡି ବିସ୍ଫୋରଣ ହୋଇଥିଲା ବୋଲି ପୋଲିସ କହିଛି। ବିସ୍ଫୋରଣରେ ସେନାର ବୁଲେଟ ଓ ଲ୍ୟାଣ୍ଡମାଇନ୍‌ ନିରୋଧୀ କାସ୍‌ପର ଯାନ କ୍ଷତିଗ୍ରସ୍ତ ହୋଇଛି। ଏହା ପରେ ସୁରକ୍ଷା ବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଗୁଳି ବିନିମୟ ହୋଇଥିଲା। ଲ୍ୟାଣ୍ଡମାଇନ ଆକ୍ରମଣରୁ ଅନ୍ୟ ଗାଡ଼ିଗୁଡିକୁ ସୁରକ୍ଷା ଦେବା ଲାଗି କାସ୍‌ପର ଯାନ ଆଗରେ ଯାଇଥାଏ। ତେବେ ବିସ୍ଫୋରକ ଏତେ ଶକ୍ତିଶାଳୀ ଥିଲା ଯେ ତାହା କାସ୍‌ପର ଯାନକୁ ମଧ୍ୟ କ୍ଷତିଗ୍ରସ୍ତ କରିଦେଇଛି। ସେନା ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରିଛି। ଗତ ଫେବୃୟାରୀ ୧୪ରେ ସିଆରପିଏଫର ଏକ ବସ୍‌କୁ ଆତଙ୍କବାଦୀ ଆତ୍ମଘାତୀ ବିସ୍ଫୋରରଣରେ ଉଡାଇ ଦେଇଥିଲେ। ଏଥିରେ ୪୦ରୁ ଊର୍ଦ୍ଧ୍ୱ ଯବାନ ଶହୀଦ ହୋଇଥିଲେ। ଉକ୍ତ ଆକ୍ରମଣସ୍ଥଳଠାରୁ ୨୭ କିଲୋମିଟର ଦୂରରେ ସୋମବାର ବିସ୍ଫୋରଣ ହୋଇଛି।

Share