Categories: ଖେଳ

ପୂଜାରା, ରାହୁଲ, ଜାଡେଜା ଘୋଷଣା କରିବେ କେଉଁଠାରେ ଦେବେ ଡୋପ ଟେଷ୍ଟ

ନୂଆଦିଲ୍ଲୀ,୧୪।୯: ଭାରତୀୟ କ୍ରିକେଟରଙ୍କ ଲାଗି ଜାତୀୟ ଆଣ୍ଟି ଡୋପିଂ ସଂସ୍ଥା (ନାଡା) ପକ୍ଷରୁ ପ୍ରଥମ ଥର ରେଜିଷ୍ଟର ଟେଷ୍ଟିଂ ପୁଲ (ଆରଟିପି) ପ୍ରସ୍ତୁତ କରାଯାଇଛି। ଏହି ତାଲିକାରେ ୫ ଷ୍ଟାର ପୁରୁଷ ଓ ମହିଳା ଖେଳାଳି ରହିଛନ୍ତି। ଏଥିରେ ଚେତେଶ୍ୱର ପୂଜାରା, ଲୋକେଶ ରାହୁଲ ଓ ରବୀନ୍ଦ୍ର ଜାଡେଜା ଏବଂ ମହିଳା କ୍ରିକେଟର ସ୍ମୃତି ମନ୍ଧାନା ଓ ଦୀପ୍ତି ଶର୍ମା ରହିଛନ୍ତି। ଏମାନେ ପ୍ରଥମ ସେଟ୍‌ କ୍ରିକେଟର ଭାବେ କେଉଁଠାରେ ଡୋପ୍‌ ଟେଷ୍ଟ ଦେବେ, ତାହା ନାଡା ଡିସିଓଙ୍କୁ ଜଣାଇବେ। ନାଡାର ମୁଖ୍ୟ କାର୍ଯ୍ୟାଳୟରେ ଚଳିତ ମାସ ‘ହ୍ବେୟାରଏବାଉଟ୍‌’ କ୍ଲଜ ସମ୍ପର୍କରେ ଏକ କର୍ମଶାଳା ଆୟୋଜନ ହେବ। ଆସନ୍ତା ୩ ମାସ ପର୍ଯ୍ୟନ୍ତ ଉପରୋକ୍ତ କ୍ରିକେଟରମାନଙ୍କୁ ପ୍ରତ୍ୟେକ ଦିନ ଏକ ଘଣ୍ଟାର ସ୍ଲଟ ନାଡାକୁ ଦେବାକୁ ପଡ଼ିବ। ଉକ୍ତ ସ୍ଲଟରେ ସେମାନେ ଡୋପ ନମୂନା ଦେବା ପାଇଁ ଉପଲବ୍ଧ ରହିବେ। ଆରଟିପି ଅନୁଯାୟୀ, ନାଡା ଡୋପ ନମୂନା ସଂଗ୍ରହ କରିବ। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର ନିଜର ଏକ ରେଜିଷ୍ଟର ଭାରତୀୟ କ୍ରିକେଟରଙ୍କ ପୁଲ ରହିଛି। ସେଥିରେ ଜାଡେଜା, ପୂଜାରା, ରାହୁଲ, ମନ୍ଧାନା ଓ ଦୀପ୍ତିଙ୍କ ନାମ ସ୍ଥାନ ପାଇ ନାହାନ୍ତି। ଏମାନଙ୍କ ବ୍ୟତୀତ ଆଇସିସି ଆରଟିପି ତାଲିକାରେ ଥିବା ଖେଳାଳିଙ୍କ ନମୂନା ଆଇସିସି ଅନୁମତି ପରେ ସଂଗ୍ରହ କରାଯିବ। ନାଡାର ଟେଷ୍ଟିଂ ଲାବ୍ରୋଟୋରି ଏନ୍‌ଡିଟିଏଲ ୬ ମାସ ବାସନ୍ଦ ହୋଇଛି। ହେଲେ ନାଡା କ୍ରିକେଟରଙ୍କ ନମୂନା ସଂଗ୍ରହ କରିବା ଜାରି ରଖିଛି।

Share