ପୂଜାରେ ଟ୍ବିନ୍‌ ସିଟି ଜଗିବେ ୬୩ ପ୍ଲାଟୁନ ଫୋର୍ସ

ଭୁବନେଶ୍ୱର,୨-୯(ବ୍ୟୁରୋ): ଦୁର୍ଗାପୂଜା ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। କଟକ ଓ ଭୁବନେଶ୍ୱରରେ ୬୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ। ଏହାସହ ରାପିଡ୍‌ ଆକ୍ସନ ଫୋର୍ସ ଓ ସ୍ବତନ୍ତ୍ର କମାଣ୍ଡୋ ୟୁନିଟ୍‌ ମଧ୍ୟ ନିୟୋଜିତ ହେବେ। ସୁନା ଓ ଚାନ୍ଦି ମେଢ଼ ମଣ୍ଡପକୁ ଜଗିରହିବେ ବନ୍ଧୁକଧାରୀ ପୋଲିସ। ସମସ୍ତ ପୂଜା ମଣ୍ଡପରେ ସିସିଟିଭି ଲଗାଇବାକୁ ସବୁ କମିଟିକୁ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ଏହାସହ ଶବ୍ଧ ପ୍ରଦୂଷଣ ଉପରେ କଡ଼ା କଟକଣା ଲାଗିବ। ଡିଜେ ବଜାଇଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ସବୁ ପୂଜାମଣ୍ଡପରେ ସ୍ବତନ୍ତ୍ର ପୋଲିସ ଅଧିକାରୀ ନିୟୋଜିତ ହେବେ। ରାଜଧାନୀରେ ପ୍ରାୟ ୧୭୪ ମେଢ ଲାଇସେନ୍ସ ନେଇଥିବାବେଳେ ୫ ସ୍ଥାନରେ ରାବଣପୋଡ଼ି ହେବ। ରାବଣ ପୋଡ଼ି ସ୍ଥାନକୁ ପୋଲିସ ଟିମ୍‌ ଅନୁଧ୍ୟାନ କରି ଅନୁମତି ଦେବେ। ୧୦୦ ମିଟର ଦୂରରେ ଲୋକେ ରହିବେ। ସେଠାରେ ଆମ୍ବୁଲାନ୍ସ, ଦମକଳ ଗାଡ଼ି ସହ ଅଗ୍ନିଶମ କର୍ମଚାରୀ ଉପସ୍ଥିତ ରହିବେ। ଭିଡ଼କୁ ଦୃଷ୍ଟିରେ ରଖି ଟ୍ରାଫିକ ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଦିଆଯାଉଥିବା ଡିସିପି ଅନୁପ କୁମାର ସାହୁ କହିଛନ୍ତି।

Share