ହରେକୃଷ୍ଣ ଦାସ
ସେଦିନ ମନ୍ଦିରରେ ମୁଣ୍ଡିଆ ମାରି ଉଠିଲା ବେଳକୁ ବନ୍ଧୁ କହିଲେ, ‘ଏତେଶୀଘ୍ର ସରିଗଲା ଯେ ! ଠାକୁରଙ୍କୁ କିଛି ମାଗିଲନି କି?’ ହଁ, ଯାହା ମାଗିବା କଥା ମୁହୂର୍ତ୍ତକେ ମାଗି କାମ ସାରିଦେଲି। ”କ’ଣ ଜଗନ୍ନାଥାଷ୍ଟକମ୍ ଗାଇଲନି କି?“ ବନ୍ଧୁଙ୍କ ପ୍ରଶ୍ନରେ ମୁଁ ପାଲଟା ପଚାରିଲି, ‘ଗାଇବାଟା କ’ଣ ଜରୁରୀ?’ ମୋ ଉତ୍ତରକୁ ନାପସନ୍ଦ କରି ବନ୍ଧୁ କହିଲେ,ଜଗନ୍ନାଥଙ୍କୁ ମୁଣ୍ଡିଆ ମାରୁଚ, ଅଥଚ ଜଗନ୍ନାଥାଷ୍ଟକମ୍ ଗାଇବନି – ସେ କୋଉ ମୁଣ୍ଡିଆରେ ଯାଏ? ତମେ କ’ଣ ସେ ଅଷ୍ଟକ ଜାଣିନ କି। ହଁ ଜାଣେ। ଛନ୍ଦରେ ଗାଇଲେ ମଧୁର ଶୁଭେ ବୋଲି ଅନେକ ସମୟରେ ଗାଏ। କିନ୍ତୁ ଜଗନ୍ନାଥଙ୍କୁ ମୁଣ୍ଡିଆ ମାରିଲା ବେଳେ ଗାଏନି। ରାଗିଯାଇ ବନ୍ଧୁ କହିଲେ, କି ମୂର୍ଖଲୋକ! ଜଣା ଥାଇ ବି ଅଷ୍ଟକ ନ ଗାଇ ତୁଚ୍ଛାଟାରେ ମୁଣ୍ଡିଆ ମାରୁଚ! କହିଲି, ‘କାଇଁ, ଅଷ୍ଟକ ନ ଗାଇଲେ କ’ଣ ମୁଁ ଯାହା ମାଗିଲି ଠାକୁର ମତେ ସେତକ ଦେବେନି?’ ‘ହେଃ, ତମେ ମାଗିଦେଲେ ଯେ ଠାକୁର ଦେଇଦେବେ – ସେକଥା ଭାବନି। କିନ୍ତୁ ଜଗନ୍ନାଥଙ୍କୁ ମୁଣ୍ଡିଆ ମାରିଲାବେଳେ ଅଷ୍ଟକ ଗାଇଲେ ଠାକୁର ସନ୍ତୁଷ୍ଟ ହୁଅନ୍ତି।’ ଠାକୁର ସନ୍ତୁଷ୍ଟ ହୁଅନ୍ତି କି ନାହିଁ ସେକଥା ମୁଁ ଜାଣିନି, କିନ୍ତୁ ଅଷ୍ଟକ ଗାଇ ଜଗନ୍ନାଥଙ୍କ ସହ ଭାଣ୍ଡାମି କରିବାକୁ ମୁଁ ଚାହେଁନି। ଉତ୍ତ୍ୟକ୍ତ ହେଇ ବନ୍ଧୁ କହିଲେ, ”ତା’ମାନେ ଅଷ୍ଟକ ଗାଇ ମୁଣ୍ଡିଆ ମାରିବାଟା ଭାଣ୍ଡାମି! ଆମେମାନେ ସମସ୍ତେ ଭଣ୍ଡ! ୟାକୁ ଲେଖିଥିବା ଶଙ୍କରାଚାର୍ଯ୍ୟ ତା’ହେଲେ ଭଣ୍ଡ? ଏଥିରେ ଭାଣ୍ଡାମି କୋଉଠି ରହିଲା?“ ହେଲେ, ତମେ କି ମଁୁ ତ ଶଙ୍କରାଚାର୍ଯ୍ୟ ନୁହଁ ନା। ତାଙ୍କର ସାଂସାରିକ ଆସକ୍ତି ନ ଥିଲା ବୋଲି ସେ ସମ୍ପୂର୍ଣ୍ଣ ସମର୍ପଣର ଭାଷାରେ ଅଷ୍ଟକ ଲେଖି ଗାଇଲେ। ତାଙ୍କ ଶବ୍ଦ ଓ ଭାବନା ଭିତରେ କିଛି ଫରକ ନ ଥିଲା। କିନ୍ତୁ ମୋର ଭାବନା ତ ତାଙ୍କ ଶବ୍ଦ ସଂଯୋଜନାର ବିପରୀତଧର୍ମୀ। ତାଙ୍କର କୌଣସି ପାର୍ଥିବ ଲାଳସା ନ ଥିଲା, କିନ୍ତୁ ମୋର ତ ଅଛି। ଯଦି ସଂସ୍କୃତରେ ଗାଇବି ଯେ ପ୍ରଭୁ, ମୋର ରାଜ୍ୟ, ସୁନା, ରୁପା, ସୁନ୍ଦର ସ୍ତ୍ରୀ,ଭୋଗବିଳାସ ଆଦି କିଛି ଲୋଡାନାହିଁ, ଅଥଚ ଓଡ଼ିଆ ଭାଷାରେ ମାଗୁଥିବି ଯେ ପ୍ରଭୁ, ମତେ ଭଲ ଚାକିରି ଦିଅ, ପୁଳାଏ ଟଙ୍କା ରୋଜଗାର କରେଁ, ବଙ୍ଗଳା, ଗାଡ଼ି, ସୁନ୍ଦରୀ ସ୍ତ୍ରୀ ମିଳୁ, ଆରାମରେ ଜୀବନ ବିତୁ, ତା’ହେଲେ ଏଇଟା ଭାଣ୍ଡାମି ହେବ କି ନା। ତା’ଛଡ଼ା, ଜଗନ୍ନାଥ ମୋର ସଂସ୍କୃତ ପ୍ରାର୍ଥନା ନା ଓଡ଼ିଆ ପ୍ରାର୍ଥନା ଶୁଣିବେ। କିଏ ସତରେ କ’ଣ ଶଙ୍କରାଚାର୍ଯ୍ୟଙ୍କ ଭଳିଆ ଭାବନା ରଖି ‘ଜଗନ୍ନାଥ ସ୍ବାମୀ ନୟନପଥଗାମୀ ଭବ ତୁମେ’ କହୁଛି କି। ଆମେ ଗୋଟେ ଦିନରେ ଚେଇଁ ରହୁଥିବା ଅଠର ଘଣ୍ଟାରୁ ସତର ଘଣ୍ଟା ପଞ୍ଚାବନ ମିନିଟ ଟାଉଟରର ଜୀବନ ବଞ୍ଚିବା, ଅଥଚ ମାତ୍ର ପାଞ୍ଚ ମିନିଟ ପାଇଁ କରୁଥିବା ପୂଜା ପ୍ରାର୍ଥନାର ଫଳ ଆକାରରେ ଠାକୁର ଆମ ଉପରେ ସଂସାରଯାକର ସୁଖ ଅଜାଡି ଦିଅନ୍ତୁ ବୋଲି ଆଶା କରିବା। ଠାକୁର ଆମର ପାଞ୍ଚ ମିନିଟର ଜୀବନକୁ ଗୁରୁତ୍ୱ ଦେବେ ନା ଗୋଟେ ଦିନର ବାକିତକ ଜୀବନକୁ ଅନୁଧ୍ୟାନ କରିବେ? କେଉଁଟା ଗୁରୁତ୍ୱପୂର୍ଣ୍ଣ- ଆମର ଭାବନା ନା ଆମର ଛଳନାପୂର୍ଣ୍ଣ ଶବ୍ଦ, ଉପଚାର’
ଲଜ୍ଜା ଓ କ୍ରୋଧର ଗୋଟେ ଫେଣ୍ଟାଫେଣ୍ଟି ଚିତ୍ର ବନ୍ଧୁଙ୍କ ମୁହଁରେ ସ୍ପଷ୍ଟ ବାରିହୋଇପଡୁଥାଏ। ଭାବନାକୁ ଚାପି ରଖି ନମ୍ରତାର ସହିତ କହିଲେ, ”ତମେ ଯାହା କହୁଚ ହୁଏତ ଠିକ୍, କିନ୍ତୁ ଏତେ ମନ୍ତ୍ର, ଶ୍ଳୋକ ତା’ହେଲେ ଲେଖା ହେଇଚି କାଇଁକି? ତମ କହିବା ମୁତାବକ ଲୋକ ତ କୋଟିଏରେ ଗୋଟିଏ ବି ମିଳିବା କଷ୍ଟ। ତେବେ କେହି କ’ଣ ସେସବୁ ଗାଇବେନି“ । ହଁ ଗାଆନ୍ତୁ। କିନ୍ତୁ କେବଳ ଗାଇବା ସହ ଜଣକର ଭକ୍ତିଭାବକୁ ଯୋଡ଼ିବା ଉଚିତ ନୁହେଁ। ଗୁଡାଏ ମନ୍ତ୍ର ବୋଲି ଶ୍ଳୋକ ଆବୃତ୍ତି କରି ପୂଜା କରୁଥିବା ଲୋକଙ୍କୁ ନିହାତି ଧାର୍ମିକ ବୋଲି ଭାବିବା ଉଚିତ ନୁହେଁ। ଅନେକ ଲୋକ ନିଜକୁ ଧାର୍ମିକ ବୋଲି ଦେଖେଇ ହେବାକୁ ଚେଷ୍ଟା କରନ୍ତି, କେବଳ ଏଥିପାଇଁ ଯେ ଅନ୍ୟମାନେ ତାଙ୍କୁ ଅତ୍ୟନ୍ତ ଧର୍ମପରାୟଣ ବୋଲି ଭାବନ୍ତୁ ଏବଂ କିଛି ବିଧିବିଧାନ ନ କଲେ କାଳେ କୋଉ ଠାକୁର ରାଗିବେ ସେଥିପାଇଁ ପାଇଟି ସାରିଦେବା କଥା। ନ ହେଲେ ଅନ୍ତରରେ ସେମିତି ଧର୍ମବିଚାର କି ସମର୍ପଣଭାବ କିଛି ନ ଥାଏ। ପୂଜାପାଠ କରୁଚି ବୋଲି ଲୋକଙ୍କୁ ଦେଖେଇବାଟା ଏମାନଙ୍କ ପାଇଁ ବେଶି ଗୁରୁତ୍ୱପୂର୍ଣ୍ଣ।
ଆମ କଥାବାର୍ତ୍ତା ଶୁଣି ମୋ ଝିଅ କହିଲା, ଠିକ୍ କଥା ପାପା। କାଲି ମୋ ସାଙ୍ଗ ଦୀପା ଘରେ ଦେଖଲି ତା’ ମମି ମାଣବସା ପୂଜା କରିବା ପାଇଁ ଠାକୁରଙ୍କ ପାଖରେ ମାଣବସାର ଗୀତ ଚଲେଇଦେଇ ବସିଛନ୍ତି। ଦୀପା ତାଙ୍କର କିଛି ଫଟୋ ଉଠେଇ ଦେଲାପରେ ଆଣ୍ଟି ଉଠିଆସି ସେସବୁ ବିଭିନ୍ନ ଆଡେ ଶେୟାର କଲେ। ଏହାଦ୍ବାରା କାଳେ ନିଜେ ଗୀତ ବୋଲିବାର ଟେନ୍ସନ ନାହିଁ ବୋଲି କହୁଥିଲେ। ମୁଁ ମନେମନେ ଭାବୁଥିଲି ଯେ ମାଣବସାର ଭିଡିଓ ଚଲେଇଦେଇଥିଲେ ତାଙ୍କୁ ଆଦୌ ପୂଜା ବି କରିବାକୁ ପଡ଼ି ନ ଥାଆନ୍ତା। ଏମିତିଆ ପୂଜା କଲେ ବି କ’ଣ ଚଳିବ? ପ୍ରଶ୍ନିଳ ଆଖିରେ ଝିଅ ଚାହିଁଥିବାର ଦେଖି ମୁଁ କହିଲି, ଶୁଣ, ଠାକୁର କାହାକୁ ବାଧ୍ୟ କରିନାହାନ୍ତି ତାଙ୍କୁ ପୂଜା କରିବାକୁ। ଆମେ ଆମର ଭକ୍ତି, ଭୟ କିମ୍ବା ସ୍ବାର୍ଥ ଦୃଷ୍ଟିରୁ ପୂଜା କରୁ। ଭକ୍ତିଭାବ ନ ଥାଇ ପୂଜିଲେ ଠାକୁର ସେସବୁ କେବେ ବି ଚଳେଇ ନିଅନ୍ତିନି। ଆଦୌ ନ ପୂଜିବା ଅପେକ୍ଷା ଭଣ୍ଡ ପୂଜା କରିବା ଖରାପ।
ଏତିକି ବେଳେ ବନ୍ଧୁଙ୍କ ଝିଅ ଦୌଡି ଆସି କହିଲା, ବାପା, ବୋଉ ସେପଟେ ଦୀପ ଲଗଉଥିବା ସମୟର ଗୋଟେ ଭଲ ଫଟୋ ଉଠେଇଦେବା ପାଇଁ ତମକୁ ଅପେକ୍ଷା କରିଥିଲା, କିନ୍ତୁ ତମେ ଏଠି ଗପୁଛ। ବନ୍ଧୁଙ୍କ ପତ୍ନୀ ରାଗରେ ଆଖି ଲାଲ ଲାଲ କରି ଆସି ପହଞ୍ଚିଯାଇ ଦାନ୍ତ କଡମଡ କରି ବର୍ଷିଗଲେ। ‘ତମ ଭଳିଆ ଅପଦାର୍ଥ ଲୋକ! ମତେ ପୂଜାରେ ବି ଟିକେ ସହଯୋଗ କରୁନ!’ ମୁଁ ହସିଦେଇ କହିଲି, ତମେ ସିନା ପୂଜା କରୁଚ, ହେଲେ ଠାକୁରଙ୍କୁ ସନ୍ତୁଷ୍ଟ କରିବାର ଫର୍ମୁଲାଟା ୟାଙ୍କଠୁ ଶିଖ।’ ସେମିତି ରାଗ ତମତମ ହେଇ ସେ କହିଲେ, ”ହୁଁ, ଗୁଡାଏ ଶ୍ଳୋକ ଘୋଷିଦେଇ ଫୁଟାଣି ଦେଖେଇ ଗାଇବୁଲିଲେ ଭଣ୍ଡ କେବେ ସାଧୁ ହେଇଯାଏନି। ଏ ଭଳିଆ ଲୋକ ଲକ୍ଷେ ଜନ୍ମ ନେଲେ ବି ଠାକୁର ୟାଙ୍କ ଉପରେ କେବେ ବି ସନ୍ତୁଷ୍ଟ ହେବେନି।“ ଏ କଥା ଶୁଣି ଝିଅ ଧୀରେ କହିଲା, ‘ପୂଜାର ଅସଲ ରହସ୍ୟଟା ଆଣ୍ଟିଙ୍କୁ ହିଁ ଜଣା।’
ମୋ: ୯୮୬୧୩୪୫୬୫୮