ପୂଜା ଦୋକାନ ଦେଇଛି ଋଷିବରଙ୍କୁ ଜିଇବାର ସାଧନ

କେନ୍ଦୁଝର,୨।୯(ସ୍ବ.ପ୍ର.)- ନିଷ୍ଠା ଓ ଦୃଢ ଆତ୍ମ ବିଶ୍ୱାସ ତାଙ୍କୁ ଆତ୍ମନିର୍ଭରଶୀଳ ହେବାର ବାଟ ଦେଖାଇଛି। ଚାକିରି ମୋହ ଛାଡି ସେ ତାଙ୍କ ବାପାଙ୍କ ପୂଜା ଦୋକାନକୁ ଭରସା କରି ବ୍ୟବସାକୁ ବଢାଇ ପାରିଛନ୍ତି। ପୂଜା ପାର୍ବଣ, ଯାନି ଯାତ୍ରା ସମୟରେ ଲୋକଙ୍କୁ ଚାହିଦା ମୁତାବକ ବିଭିନ୍ନ ପୂଜା ସାମଗ୍ରୀ ଯୋଗାଇ ସେ ନିଜର ଏକ ଛୋଟ ପରିଚୟ ସୃଷ୍ଟି କରି ପାରିଛନ୍ତି ବୋଲି କହନ୍ତି ୨୮ ବର୍ଷର ଯୁବକ ଋଷିବର ଦେହୁରୀ ।
ଋଷିବରଙ୍କ ଘର କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତ ଭାଟୁଣିଆଁ ଗ୍ରାମରେ । ସେ ଯୁକ୍ତ ୩ କଳା ପାଠପଢା ସାରି କିଛିଦିନ ଚାକିରି ପଛରେ ଧାଇଁଥିଲେ। ଚାକିରି ନ ମିଳିବାରୁ ଜୀଇବା ଲାଗି ସେ ବାପାଙ୍କ ଛୋଟ ପୂଜା ଦୋକାନରେ ବ୍ୟବସାୟ କରିବାକୁ ମନ ବଳାଇଥିଲେ। ଆଜକୁ ୭ବର୍ଷ ହେବ ସେ ଏହି ଦୋକାନ ଭାର ହାତକୁ ନେଇ ଗ୍ରାହକମାନଙ୍କ ସହ ସମ୍ପର୍କ ରଖି ବେପାର କରି ଆସୁଛନ୍ତି। ଋଷିବର କହନ୍ତି,
ତାଙ୍କ ବାପା ଦୀର୍ଘ ୪୨ ବର୍ଷ ତଳେ ପଦ୍ମପର ବଜାର ରାସ୍ତା କଡ଼ରେ ଏକ ଛୋଟ ପୂଜା ଦୋକାନ ଆରମ୍ଭ କରିଥିଲେ । ୨୦ନମ୍ବର ରାଜପଥ ଦୁଇଭାଗ ଚ଼ଉଡ଼ା ହେବା ପରେ ସେ ପଦ୍ମପୁର ଆର୍‌ ଏମ ସି ବଜାର ନିକଟ ମାର୍କେଟ କମ୍ପ୍ଲେକ୍ସରେ ଦୋକାନ ଚଳାଇଛନ୍ତି। ସରଳ ମନୋଭାବ ଓ ସୁୁଲଭ ମୂଲ୍ୟରେ ସାମଗ୍ରୀ ବିକ୍ରି ତାଙ୍କ ବ୍ୟାବସାୟିକ ସଫଳତାର ଚାବିକାଠି ସାଜିଛି। ତାଙ୍କ ବାପା କେଶବ ଚ଼ନ୍ଦ୍ର ଦେହୁରୀ ବାର୍ଦ୍ଧକ୍ୟର ଅସହାୟତା ସତ୍ତ୍ୱେ ଦୋକାନ ଦେଖାଶୁଣା କରି ତାଙ୍କୁ ସହାୟତା କରୁଛନ୍ତି। ଆଖପାଖ ଅଞ୍ଚଳର ଲୋକେ ଯେ କୌଣସି ବିବାହ ବ୍ରତ ହେଉ କି ମେଳା, ଶୁଦ୍ଧି କ୍ରିୟା ହେଉକି ଶନିମେଳା ସବୁ ପ୍ରକାର ପୂଜାକାର୍ଯ୍ୟ ଲାଗି ତାଙ୍କ ଦୋକାନକୁ ଧାଇଁ ଆସନ୍ତି ା ନଡ଼ିଆ, କଦଳୀ, ସିନ୍ଦୁର, କରିଆ, ଧୂପ, ଧୂଣା, ଧାନମୁଠି, ମାଠିଆ, ଫୁଲମାଳ, ଥାଳି, ଦୀପ, ଘିଅ, ଜଡ଼ାତେଲ, ସୋରିଷତେଲ, ବିବାହ ସାମଗ୍ରୀ, ଖଲି, ଚ଼ଉପତି ସାଙ୍ଗକୁ ବିଭିନ୍ନ ଠାକୁର ଫଟୋ ଓ ମୂର୍ତ୍ତି ରଖି ସେ ବିକ୍ରି କରୁଛନ୍ତି। ଏଥିଲାଗି ବିଭିନ୍ନ ବଜାର ବୁଲି ପୂଜା ସାମଗ୍ରୀ ସଂଗ୍ରହ କରିବା ଓ ତାକୁ ବିକ୍ରି କରିବା ଲାଗି ଅନେକ ପରିଶ୍ରମ କରିବାକୁ ପଡିଥାଏ। ହେଲେ ଏଭଳି ପରିଶ୍ରମ ତାଙ୍କୁ ରୋଜଗାର କ୍ଷମ କରି ଦେଇଛଇ ଜିଇବାର ସାଧନ।

Share