ପୂଜା ପାଇଲେ ପଟି ଦିଅଁ:  ଆରମ୍ଭ ହେଲା ମହାପ୍ରଭୁଙ୍କ ଅଣସର ନୀତି

ପୁରୀ ଅଫିସ,୧୯ା୬: ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗଡୁ ଜଳରେ ସ୍ନାନ କରିବା ପରେ ଜ୍ୱରରେ ପଡ଼ିଛନ୍ତି ମହାପ୍ରଭୁ। ହାତୀବେଶରେ ଭକ୍ତଙ୍କୁ ଦର୍ଶନ ଦେଇ ଅଣସର ଗୃହକୁ ବିଜେ କରିଛନ୍ତି ଚତୁର୍ଦ୍ଧାବିଗ୍ରହ। ସୋମବାର ରାତି ୯ଟା ୪୫ରେ ହାତୀବେଶ ଓଲାଗି ହୋଇଥିଲା। ପ୍ରଥମେ ମଦନମୋହନ ବିଜେ କରିଥିଲେ। ରାତି ପ୍ରାୟ ୧୦ଟା ୪୫ରେ ଆରମ୍ଭ ହୋଇଥିଲା ମହାପ୍ରଭୁଙ୍କ ବାହୁଡ଼ା ପହଣ୍ଡି ଯାତ୍ରା। ସ୍ନାନବେଦି ଛାଡ଼ିି ଗୋଟି ପହଣ୍ଡିରେ ଅଣସରକୁ ବିଜେ କରିଥିଲେ ଦାରୁବିଗ୍ରହ। ପହଣ୍ଡି ସରିବା ପରେ ଚିତା ଓଲାଗି ହୋଇ ଅଣସର ନୀତି ହୋଇଥିଲା। ଏହାପରେ କୋଠ ସୁଅଁାସିଆମାନେ ଭିତରକୁ ଯାଇ ଭିତରକାଠ ନିକଟରେ ତାଟି ବାନ୍ଧିଥିଲେ। ମଙ୍ଗଳବାର ଭୋର ସମୟରେ ଶ୍ରୀମନ୍ଦିରକୁ ପଟି ଦିଅଁ ବିଜେ ହୋଇଥିଲେ। ସକାଳ ୯ଟାରେ ତାଟିରେ ପଟିଦିଅଁଙ୍କୁ ରୁନ୍ଧା ଯାଇଥିଲା। ଶ୍ରୀଜଗନ୍ନାଥ ଶ୍ରୀଅନନ୍ତ ନାରାୟଣ ରୂପରେ, ମା’ ସୁଭଦ୍ରା ଭୁବନେଶ୍ୱରୀ ଏବଂ ଶ୍ରୀବଳଭଦ୍ର ଅନନ୍ତ ବାସୁଦେବ ଭାବେ ମହାଅଣସର ପଟିରେ ପରମ୍ପରା ଅନୁଯାୟୀ ସ୍ଥାନିତ ହୋଇଥିଲେ। ଏହାପରେ ଶ୍ରୀଦେବୀ, ଭୂଦେବୀ, ମଦନମୋହନ, ଦୋଳଗୋବିନ୍ଦ, ନୃସିଂହ ଓ ରାମକୃଷ୍ଣ ବିଜେ ହେବା ପରେ ଅନ୍ୟାନ୍ୟ ନୀତି ବଢିଥିଲା। ପୂର୍ବାହ୍ନ ୧୦ଟାରେ ମହାସ୍ନାନ ଓ ୧୦ଟା ୨୫ରେ ମଙ୍ଗଳ ଆଳତି ସରିଥିଲା। ଭକ୍ତମାନେ ପଟିଦିଅଁଙ୍କୁ ଦର୍ଶନ କରିଥିଲେ। ସେହିପରି ଶ୍ରୀମନ୍ଦିର ସିଂହଦ୍ୱାର ଗୁମୁଟରେ ଥିବା ପତିତପାବନ ଅନନ୍ତ ନାରାୟଣ ରୂପରେ ପଟିରେ ସ୍ଥାନିତ ହୋଇଛନ୍ତି। ମଙ୍ଗଳବାରଠାରୁ ଆରମ୍ଭ ହୋଇଛି ଅଣସର ନୀତି। ଅଣସରରେ ମହାପ୍ରଭୁଙ୍କ ସେବାରେ ଲାଗିଛନ୍ତି ଶ୍ରୀଅଙ୍ଗ ସେବକ ଦଇତାପତି। ମଧ୍ୟାହ୍ନ ଧୂପ ସରିବା ପରେ ଅଣସରରେ ମହାପ୍ରଭୁଙ୍କ ପାଖରେ ଚକଟା ଭୋଗ ଓ ପଣାଭୋଗ କରାଯାଇଥିଲା।

Share