Categories: ମେଟ୍ରୋ

ପୂଜା ପୂର୍ବରୁ କମିଟିକୁ ସେସୁର ଚେତାବନୀ : ହୁକ ପକାଇଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୩୦ା୯(ବ୍ୟୁରୋ) : ବିଭିନ୍ନ ପୂଜାପର୍ବରେ ବେଆଇନ ଭାବେ ବିଦ୍ୟୁତ୍‌ ସଂଯୋଗ ନିଆଯାଉଥିବା ଅଭିଯୋଗ ଆସୁଛି। ଆଗକୁ ଦୁର୍ଗାପୂଜା ଓ ଗଜକ୍ଷ୍ମୀ ପୂଜା ରହିଥିବାବେଳେ ଏହାପୂର୍ବରୁ ସେସୁ ପୂଜା କମିଟିଗୁଡିକୁ ସତର୍କ କରାଇବା ସହ ଚେତାବନୀ ଦେଇଛି। ବେଆଇନ ଭାବେ ହୁକ ପକାଇ ବିଦ୍ୟୁତ ସଂଯୋଗ ନେଉଥିବା ଧରାପଡ଼ିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଲିଖିତ ନିର୍ଦ୍ଦେଶନାମା ଜାରି କରିଛି। ଏହାର ତଦାରଖ କରିବା ଲାଗି ସେସୁ ପକ୍ଷରୁ ଡି-ହୁକିଂ ସ୍କ୍ବାଡ୍‌ ଗଠନ କରାଯାଇଛି। କୌଣସି ବିଦ୍ୟୁତ୍‌ ଜନିତ ଦୁର୍ଘଟଣାକୁ ଏଡ଼ାଇବା ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ସେସୁ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଆଇନ ସମ୍ମତ ସଂଯୋଗ ନେବାକୁ ପୂଜା ମଣ୍ଡପଗୁଡ଼ିକ ସେସୁର ସହାୟତା ନେବା ସହ ପୂଜାକୁ ଠିକ୍‌ ଢଙ୍ଗରେ ପରିଚାଳନା କରନ୍ତୁ ବୋଲି ସେସୁ ଅନୁରୋଧ କରିଛି।
ଉଲ୍ଲେଖଥାଉ କି, ପୂଜାବେଳେ ଆଲୋକ ସଜ୍ଜା ପାଇଁ ମଣ୍ଡପଗୁଡ଼ିକ ହୁକ ପକାଇ ବିଦ୍ୟୁତ୍‌ ଚୋରି କରିଥାନ୍ତି। ଏଥିରେ ନିଅଁା ଲାଗିଯିବା, ଟ୍ରାନ୍ସଫର୍ମର ପୋଡିଯିବା ଭଳି ଘଟଣା ଘଟିଥାଏ। ଏଥିପାଇଁ ଏବେ ବେଆଇନ ଭାବେ ବିଦ୍ୟୁତ ସଂଯୋଗ କରିଥିଲେ ବିଦ୍ୟୁତ୍‌ ଆଇନ୍‌ ୨୦୦୩, ଧାରା ୧୩୫ ଓ ୧୪୦ ଅସୁନାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପୂଜା ସମୟରେ ଅସ୍ଥାୟୀ ବିଦ୍ୟୁତ୍‌ ସେବା ନେବା ଲାଗି ପୂଜାମଣ୍ଡପଗୁଡିକୁ ନିକଟସ୍ଥ ବିଦ୍ୟୁତ୍‌ ସେକ୍ସନ ଓ ସବ୍‌ଡିଭିଜନରେ ଆବେଦନ କରିବାକୁ କୁହାଯାଇଛି। ଏହି ସମୟରେ ଅଧିକ ବିଦ୍ୟୁତ୍‌ ଖର୍ଚ୍ଚ ହୋଇଥାଏ। ତେଣୁ ସେସୁ ପକ୍ଷରୁ ଆଗୁଆ ପଦକ୍ଷେପମାନ ଗ୍ରହଣ କରାଯାଇଛି। ସବ୍‌ଷ୍ଟେଶନ ଲାଇନ ଗୁଡିକର ମରାମତି ସହ ଅତ୍ୟାବଶକ ବିଦ୍ୟୁତ୍‌ ସାମଗ୍ରୀ ଗଚ୍ଛିତ ରଖାଯାଇଛି। ପୂଜା ସମୟରେ ବିଦ୍ୟୁତ୍‌ ଖର୍ଚ୍ଚ କାଟ କରିବା ଲାଗି ଏଲ୍‌ଇଡି ଲାଇଟ ଓ ଏନର୍ଜି ସେଭିଙ୍ଗ ଲାଇଟ୍‌ ବ୍ୟବହାର କରିବାକୁ ସେସୁ ପକ୍ଷରୁ କମିଟିଗୁଡିକୁ ନିବେଦନ କରାଯାଇଛି।

Share