ପୂଜା ମଣ୍ଡପରେ ଭକ୍ତଙ୍କୁ ଚାରା ବଣ୍ଟନ

ଭୁବନେଶ୍ୱର, ୭ା୧୦(ବ୍ୟୁରୋ)- ପରିବେଶ ସନ୍ତୁଳନ ରହିଲେ ମାନବଜାତି ଶୃଙ୍ଖଳିତ ଜୀବନଯାପନ କରିପାରିବ। ଏଥିପାଇଁ ପର୍ଯ୍ୟାପ୍ତ ପରିମାଣର ବୃକ୍ଷରୋପଣ ଜରୁରୀ ହୋଇପଡ଼ିଛି। ଏଭଳି ବାର୍ତ୍ତା ଦେଇ ଭକ୍ତଙ୍କୁ ଚାରା ବଣ୍ଟନ କରୁଛି ଚକେଇସିଆଣି ଦୁର୍ଗା ପୂଜା ସମିତି। ବାତ୍ୟା ‘ଫନୀ’ରେ ପୁରୀ, କଟକ ସମେତ ଭୁବନେଶ୍ୱରରେ ଲକ୍ଷାଧିକ ଗଛ ଭାଙ୍ଗିଯାଇଛି। ପୁଣି ସହରକୁ କିପରି ସବୁଜୀମା କରିବା ଓ ଗଛର ମହତ୍ତ୍ୱକୁ ଲୋକଙ୍କୁ ଜଣାଇବା ପାଇଁ ସମିତି ପକ୍ଷରୁ ଏଭଳି ଏକ ପଦକ୍ଷେପ ନିଆଯାଇଛି। ମଣ୍ଡପକୁ ବୁଲି ଆସୁଥିବା ଭକ୍ତମାନଙ୍କୁ ଗୋଟିଏ ଚାରା ଦିଆଯାଉଛି। ଅଷ୍ଟମୀ ଦିନ ପ୍ରାୟ ୧୦ହଜାର ଚାରା ବଣ୍ଟନ ହୋଇସାରିଥିବା ବେଳେ ଦଶମୀ ପର୍ଯ୍ୟନ୍ତ ଏଭଳି ଚାରା ବଣ୍ଟନ କାର୍ଯକ୍ରମ ଚାଲିବ ବୋଲି ସମିତି ପକ୍ଷରୁ କୁହାଯାଇଛି। ସେହିଭଳି ପୁରୁଣା ଷ୍ଟେଶନ ବଜାର ଦୁର୍ଗା ପୂଜା ସମିତି ପକ୍ଷରୁ ମଧ୍ୟ ଚାରା ବଣ୍ଟନ କରାଯାଉଛି। ସେପଟେ ପ୍ଲାଷ୍ଟିକ୍‌ ବ୍ୟାନ୍‌କୁ ଗୁରୁତ୍ୱ ଦେଇ ବମିଖାଲ ଦୁର୍ଗା ପୂଜା ସମିତି ପକ୍ଷରୁ ଭକ୍ତମାନଙ୍କୁ କପଡ଼ାର ବ୍ୟାଗ୍‌ ଦିଆଯାଉଥିବା ଦେଖିବାକୁ ମିଳିଛି।

Share