ପୂରଣ ହେଲା ଆଲିଆଙ୍କ ସ୍ବପ୍ନ

ମୁମ୍ବାଇ: ବଲିଉଡ୍‌ ଇଣ୍ଡଷ୍ଟ୍ରିରେ କାମ କରିବାର ୭ ବର୍ଷ ପରେ ମହେଶ ତନୟା ଆଲିୟା ଭଟ୍ଟଙ୍କ ସ୍ବପ୍ନ ପୂରଣ ହେବାକୁ ଯାଉଛି। ଭଂସାଲି ପ୍ରଡକ୍ସନ ସହ କାମ କରିବାକୁ ଆଲିଆ ଦୀର୍ଘଦିନ ଧରି ଆଶା ବାନ୍ଧି ଥିଲେ। କିନ୍ତୁ ସଞ୍ଜୟଲୀଲା ଭଂସାଲିଙ୍କ ଫିଲ୍ମ ‘ଇନସ୍‌ଆଲ୍ଲା’ ବନ୍ଦ ହୋଇଯିବା ପରେ ଆଲିୟାଙ୍କ ସ୍ବପ୍ନ ଭାଙ୍ଗି ଯାଇଥିଲା। ହେଲେ ଭଂସାଲିଙ୍କ ଆଗାମୀ ଫିଲ୍ମ ‘ଗଙ୍ଗୁବାଇ କାଠିଆଓ୍ବାଡି’ରେ ଆଲିୟାଙ୍କୁ ଲିଡ୍‌ ରୋଲ୍‌ ମିଳିଛି। ଏଥିରେ ସେ ଗଙ୍ଗୁବାଇ ଭୂମିକାରେ ଅଭିନୟ କରିବେ। ଆଗାମୀ ବର୍ଷ ସେପ୍ଟେମ୍ବର ୧୧ ତାରିଖରେ ଫିଲ୍ମଟି ମୁକ୍ତିଲାଭ କରିବ। ଗଙ୍ଗୁବାଇ ‘ଦ ମ୍ୟାଡାମ ଅଫ୍‌ କମାଠୀପୁରା’ ନାମରେ ମଧ୍ୟ ପରିଚିତ। ସେ କମ୍‌ ବୟସରେ ବେଶ୍ୟାବୃତ୍ତିକୁ ପେସା ଭାବେ ଗ୍ରହଣ କରିନେଇଥିଲେ। ଏବେ ଆଲିୟାଙ୍କୁ ଏହି ରୋଲ ପାଇଁ ଭଂସାଲୀ ସାଇନ୍‌ କରିଥିବା ବେଳେ ପୂର୍ବରୁ
ଏହି ରୋଲ ପାଇଁ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ନାଁ ଚର୍ଚ୍ଚାରେ ଥିଲା। ସୂଚନାଯୋଗ୍ୟ ଯେ, ସଞ୍ଜୟଲୀଲା ଭଂସାଲିଙ୍କ ଫିଲ୍ମ ‘ଇନସ୍‌ଆଲ୍ଲା’ରେ ସଲ୍‌ମାନ୍‌ ଖାନ୍‌ ଲିଡ୍‌ ରୋଲରେ ଥିଲେ। ଏହାର କିଛି ଗୀତ ଶୁଟିଂ ସରିଥିବା ବେଳେ ଗତ ଅଗଷ୍ଟରେ ଫିଲ୍ମକୁ ବନ୍ଦ କରିଦିଆଯାଇଥିଲା। ଏ ନେଇ ସଲ୍‌ମାନ ନିଜେ ସୂଚନା ଦେଇଥିଲେ ବି କେଉଁ କାରଣରୁ ଫିଲ୍ମ ବନ୍ଦ ହେଲା ସେ ନେଇ ଜଣାପଡ଼ିନାହିଁ। ଏହି ଫିଲ୍ମରେ ସଲ୍‌ମାନଙ୍କ ସହ ଆଲିୟା ଭଟ୍ଟ ମଧ୍ୟ କାମ କରୁଥିଲେ। ଫିଲ୍ମଟି ବନ୍ଦ କରିଦିଆଯିବା ଜଣାପଡ଼ିବା ପରେ ଆଲିୟାଙ୍କ ମନ ବହୁତ ଦୁଃଖ ହୋଇଥିଲା ବୋଲି ଶୁଣିବାକୁ ମିଳିଥିଲା।

Share