ପୂର୍ଣ୍ଣିମାରେ ଡଙ୍ଗା ଭସା: କାର୍ତ୍ତିକ ବ୍ରତ ଶେଷ କଲେ ବ୍ରତଧାରୀ

ପୁରୀ ଅଫିସ,୧୨।୧୧: ଉତ୍କଳର ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଡି ଭୋରରୁ ଡଙ୍ଗା ଭସା ଓ ବୋଇତ ବନ୍ଦାଣ ଉତ୍ସବ ଦେଖିବାକୁ ମିଳିଛି। ଧର୍ମମାସର ଶେଷ ଦିନରେ ବଡି ଭୋରରୁ ନିକଟସ୍ଥ ପୁଷ୍କରିଣୀ, ଜଳାଶୟ କିମ୍ବା ମହୋଦଧିରେ ଡଙ୍ଗା ଭସାଇଛନ୍ତି ଶ୍ରଦ୍ଧାଳୁ । ଆ କା ମା ବୈ ପାନ ଗୁଆ ଥୋଇ, ପାନ ଗୁଆ ତୋର, ମାସକ ଧର୍ମ ମୋର। ଏଭଳି ଉଚ୍ଚାରଣରେ କମ୍ପିଥିଲା ସମଗ୍ର ଶ୍ରୀକ୍ଷେତ୍ର। ଖାସ୍‌ କରି ଶ୍ରୀକ୍ଷେତ୍ରର
ବିଭିନ୍ନ ତୀର୍ଥ ପୁଷ୍କରିଣୀ ସମେତ ପବିତ୍ର ମହୋଦଧିରେ ରାତିର ଶେଷ ପ୍ରହରରୁ ପ୍ରବଳ ଭିଡ ଦେଖିବାକୁ ମିଳିଛି। ଡଙ୍ଗାରେ ପାନରେ ଗୁଆ ରଖି, ଦୀପ ଜଳାଇ ଡଙ୍ଗା ଭସାଇଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ । ଡଙ୍ଗା ଭସାକୁ ନଜରରେ ରଖି ନରେନ୍ଦ୍ର, ଶ୍ବେତଗଙ୍ଗା, ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ ସମେତ ସମୁଦ୍ର କୂଳରେ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ସେହିପରି ଶ୍ରୀମନ୍ଦିରରେ ମଧ୍ୟ ମହାପ୍ରଭୁଙ୍କର ଦୁର୍ଲ୍ଲଭ ସୁନାବେଶ ହୋଇଛି । ଏହାକୁ ଦର୍ଶନ କରିବାକୁ ହବିଷିଆଳିଙ୍କ ସମେତ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ଲାଗି ରହିଛି।

Share