ପୂର୍ଣ୍ଣ ହତ୍ୟାକାଣ୍ଡର ପର୍ଦ୍ଦାଫାଶ, ଅଭିଯୁକ୍ତ ଗିରଫ

ଆର.ଉଦୟଗିରି,୧୧ା୬(ଡି.ଏନ.ଏ.)- ଗଜପତି ଜିଲା ଆର.ଉଦୟଗିରି ଥାନା ନୂଆଗଡ ବ୍ଲକ ତାବରଡା ଗ୍ରାମର ପୂର୍ଣ୍ଣଚନ୍ଦ୍ର ସିଂ (୬୫) ହତ୍ୟାକାଣ୍ଡର ଗୁମର ଖୋଲିଛି ପୋଲିସ। ୨ ମାସ ୧୮ ଦିନ ପରେ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ହତ୍ୟାକାଣ୍ଡରେ ବ୍ୟବହୃତ ପଥର ଜବତ କରିଛି। ସେ ହେଲେ ଉପରର ତାବରଡାର ଯାମେଶ ରଇତ। ଦୁର୍ଘଟଣାରୁ ବଚସା ଓ ପରେ ପଥରରେ ଛେତି ହତ୍ୟା କରିବା ପରେ ଗଛରେ ଟାଙ୍ଗି ଦେଇଥିବା ଯାମେଶ
ସ୍ବୀକାର କରିଛି।
ଏନେଇ ଆର୍‌.ଉଦୟଗିରି ଥାନାରେ ସୋମବାର ଅପରାହ୍ନରେ ଏକ ଖବରଦାତା ସମ୍ମିଳନୀ କରି ପୋଲିସ ସୂଚନା ଦେଇଥିଲା। ସୂଚନା ପ୍ରକାରେ, ତାବରଡା ଗ୍ରାମର ପୂର୍ଣ୍ଣଚନ୍ଦ୍ର ମାର୍ଚ୍ଚ ୨୨ରେ କାମ ସାରି ଉପର ତାବରଡାରୁ ଫେରୁଥିଲେ। ବାଟରେ ସାଇକେଲରେ ଯାଉଥିବା ଯାମେଶ ତାଙ୍କୁ ଧକ୍କା ଦେଇଥିଲେ। ପରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଯାମେଶ ପଥରରେ ପୂର୍ଣ୍ଣଚନ୍ଦ୍ରଙ୍କ ମୁଣ୍ଡକୁ ଛେଚି ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଘଟଣାକୁ ଲୁଚାଇବାକୁ ପାଖରେ ଥିବା ଏକ ଗଛରେ ପୂର୍ଣ୍ଣଙ୍କ ମୃତଦେହକୁ ଯାମେଶ ଟାଙ୍ଗି ଦେଇଥିଲେ। ପରିବାର ଲୋକେ ମାର୍ଚ୍ଚ ୨୪ରେ ପୂର୍ଣ୍ଣଚନ୍ଦ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରି କଫିନରେ ରଖି ପୋତି ଦେଇଥିଲେ। ପୂର୍ଣ୍ଣଚନ୍ଦ୍ରଙ୍କ ପୁଅ ଉଦୟଚନ୍ଦ୍ର ଉପରତାବରଡାର ଜଣେ ଯୁବକଙ୍କ ବାଇକ ଧକ୍କାରେ ବାପାଙ୍କ ମୃତ୍ୟୁ ଘଟିବା ପରେ ସେ ଗଛରେ ଟାଙ୍ଗି ଦେଇଥିବା କୌଣସି ସୂତ୍ରରୁ ଖବର ପାଇଥିଲେ। ଏନେଇ ସେ ଜଣେ ଯୁବକଙ୍କ ନାମରେ ମାର୍ଚ୍ଚ ୨୯ରେ ଥାନାରେ ଏତଲା ଦେଇଥିଲେ। ପୋଲିସ ନଂ.୩୨/୧୯ରେ ମାମଲା ରୁଜୁ କରି ମାଜିଷ୍ଟ୍ରେଟ ଓ ପୋଲିସ ଉପସ୍ଥିତିରେ ୩୦ ତାରିଖରେ କଫିନ ବକ୍ସରୁ ମୃତଦେହ ଉଦ୍ଧାର କରି ବ୍ରହ୍ମପୁର ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ଅଭିଯୋଗ ପ୍ରକାରେ ସମ୍ପୃକ୍ତ ଯୁବକଙ୍କୁ ଥାନାକୁ ଆଣି ପଚରାଉଚରା କରାଯାଇଥିଲା। ମାତ୍ର ସେ ଏହି ଘଟଣାରେ ସମ୍ପୃକ୍ତ ନଥିବା ଜଣାପଡିଥିଲା। ପରେ ସେହି ଗ୍ରାମର ଯାମେଶ ଏହି ହତ୍ୟାକାଣ୍ଡ ଘଟାଇଥିବା ପୋଲିସକୁ ସୂଚନା ମିଳିଥିଲା। ତାଙ୍କୁ ଥାନାକୁ ଆଣି ପଚରାଉଚରା ପରେ ସେ ହତ୍ୟା କରିଥିବା ସ୍ବୀକାର କରିବା ସହ ଘଟଣାସ୍ଥଳକୁ ଯାଇ ସମସ୍ତ ଘଟଣା ବର୍ଣ୍ଣନା କରିଥିଲେ। ପୋଲିସ ଯାମେଶଙ୍କୁ ଗିରଫ କରିବା ସହ ହତ୍ୟାକାଣ୍ଡରେ ବ୍ୟବହୃତ ସାମଗ୍ରୀ ଓ ସାଇକେଲ ଜବତ କରିଥିଲା। ସୋମବାର ଯାମେଶଙ୍କୁ କୋର୍ଟଚାଲାଣ କରାଯାଇଥିବା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପାରଳାଖେମୁଣ୍ଡି ଡିଏସ୍‌ପି ଅନିଲ କୁମାର ପ୍ରଧାନ କହିଛନ୍ତି। ତାଙ୍କ ସହ ଆର.ଉଦୟଗିରି ଆଇଆଇସି କୁଳମଣି ସେଠୀ ଓ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Share