ପୂର୍ତ୍ତ ବିଭାଗ ରାସ୍ତା ନିର୍ମାଣରେ ଅନିୟମିତତା: ଆରମ୍ଭରୁ ଉଠିଲାଣି ପିଚୁ

ପରଜଙ୍ଗ, ୨୦।୧୨(ଡି.ଏନ.ଏ.)-ସରିଯାଇଥିଲା ନିର୍ମାଣ ଅବଧି। ତଥାପି କାମ ନ କରି ଗଡ଼ାଇ ଚାଲିଥିଲେ ଦିନ। ଏହାକୁ ନେଇ ପ୍ରତିବାଦ ସ୍ବର ଉଠିବା ପରେ ତରବରିଆ ଭାବେ ଆରମ୍ଭ କଲେ ପିଚୁ ଢଳେଇ। ହେଲେ ରାସ୍ତା କାମ ଆଗକୁ ଯିବା ବେଳକୁ ପଛରୁ ଉଠିଯାଉଛି ପିଚୁ। ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କୁଲେଇ ଗ୍ରାମ ନିକଟ ୧୪୯ନଂ. ଜାତୀୟ ରାଜପଥରୁ ରେଙ୍ଗାଳି ମୁଖ୍ୟ ବାମ କେନାଲ ଦେଇ ମାଣିକମରା ପଞ୍ଚାୟତ ଜକା ପର୍ଯ୍ୟନ୍ତ ୧୫ କିମି ପୂର୍ତ୍ତ ବିଭାଗ ରାସ୍ତା ତିଆରିବେଳେ ପଦାକୁ ଆସିଛି ଏପରି ଚିତ୍ର। ରାସ୍ତା ନିର୍ମାଣ କାମଚଳା ଭାବେ କରାଯାଉଥିବାରୁ ଏହାର ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପଟେ ନିମ୍ନମାନର କାମକୁ ଖୋଦ୍‌ ବିଭାଗୀୟ ଯନ୍ତ୍ରୀ ସ୍ବୀକାର କରିବା ପରେ ଏଥିରେ ବ୍ୟାପକ ଅନିୟମିତତା ହେଉଥିବା ସ୍ପଷ୍ଟ ହୋଇଛି।
ଗତ ଜାନୁୟାରୀ ୩୧ରେ ତତ୍କାଳୀନ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଡା. ନୃସିଂହ ଚରଣ ସାହୁ ଏହି ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏଥିରେ ୪କୋଟି ୬୬ଲକ୍ଷ ୭୩ ହଜାର ଟଙ୍କା ବ୍ୟୟ ଅଟକଳ କରାଯାଇଥିବାବେଳେ ଫେବୃୟାରୀ ୨୦ରୁ କାମ ଆରମ୍ଭ ହୋଇଛି। ଏହାର କାମ ନେଇଛନ୍ତି ଠିକାଦାର ବିଶ୍ୱଜିତ୍‌ ସାହୁ। ସେପ୍ଟେମ୍ବର ୧୯ ସୁଦ୍ଧା ରାସ୍ତା କାମ ଶେଷ କରିବାକୁ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା। ହେଲେ ଅବଧି ସରିଥିବାବେଳେ ରାସ୍ତା କାମ ଶେଷ ହୋଇନାହିଁ। ନିମ୍ନମାନର ସାମଗ୍ରୀ ବ୍ୟବହାର ଏବଂ ଭଲ ଭାବେ ସଫେଇ ନ କରି ରାସ୍ତାରେ ପିଚୁ ଢଳେଇ କରାଯାଉଥିବାରୁ ରାସ୍ତାର ସ୍ଥାୟୀତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ନେଇ ବ୍ଲକ ଅଧ୍ୟକ୍ଷ ଅକ୍ଷୟ ବେହେରା, ସମିତି ସଭ୍ୟ ଅଶୋକ ଜେନା ପ୍ରମୁଖ ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି।
ଅନ୍ୟପଟେ ରାସ୍ତା କାମ ତଦାରଖ କରିବାକୁ ବିଭାଗୀୟ କର୍ମଚାରୀ ଅଭୟ ଭୂତିଆ, ଆଦିକନ୍ଦ ଭୂତିଆ ଏବଂ ଅବସରପ୍ରାପ୍ତ କର୍ମଚାରୀ ଶ୍ରୀକାନ୍ତ ସ୍ବାଇଁଙ୍କୁ ନିୟୋଜିତ କରାଯାଇଛି। ତଥାପି ରାସ୍ତା କାମ ଏପରି ନିମ୍ନମାନର ହେବା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ନେଇ ଶ୍ରୀକାନ୍ତ ସେଠୀ କୁହନ୍ତି, ଉଚ୍ଚ ଅଧିକାରୀ ପିସି ଖାଇବେ। ଠିକାଦାରଙ୍କୁ କହି କ’ଣ ଅପ୍ରିୟ ହେବୁ। କାମ ତଦାରଖ କରୁଥିବା ସୁପରଭାଇଜର ମନୋଜ ପାଣି କୁହନ୍ତି, ପିଚୁ ଢଳେଇ ପୂର୍ବରୁ ଝାଡୁ କରାଯାଇନାହିଁ। ତେଣୁ ପିଚୁ ଉଠିଯାଇଥିବା ସେ ସଫେଇ ଦେଇଛନ୍ତି। ଯନ୍ତ୍ରୀ ନିବେଶ ମାଝି ନିମ୍ନମାନର କାମକୁ ସ୍ବୀକାର କରିଛନ୍ତି।

Share