ପୂର୍ବତଟ ରେଳପଥରେ ଆରମ୍ଭ ହେଲା ‘ଇ-କାର୍ଯ୍ୟାଳୟ’

ଭୁବନେଶ୍ୱର,୧୯।୯(ବ୍ୟୁରୋ): ପୂର୍ବତଟ ରେଳପଥରେ ବୁଧବାର ‘ଇ-କାର୍ଯ୍ୟାଳୟ’ ପ୍ରଣାଳୀ ଉଦ୍‌ଘାଟନ ହୋଇଛି। ଏହି ପ୍ରଣାଳୀକୁ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟାଭୂଷଣ ଉଦ୍‌ଘାଟନ କରିଥିବାବେଳେ କାଗଜ ବିହୀନ ସବୁଜ ରେଳପଥ, କାର୍ଯ୍ୟଶୈଳୀରେ ସ୍ବଚ୍ଛତା ଆଣିବା ସକାଶେ ରେଳପଥ ପକ୍ଷରୁ ‘ଏନଆଇସି (ନ୍ୟାଶନାଲ ଇନଫରମେଟିକ୍ସ ସେଣ୍ଟର) ଇ-କାର୍ଯ୍ୟାଳୟ’ କାର୍ଯ୍ୟକାରୀ କରାଯାଇଥିବା କହିଛନ୍ତି। ଏହା ରାଷ୍ଟ୍ରୀୟ ଇ-ଗଭର୍ନାସର ଏକ ଅଂଶବିଶେଷ ବୋଲି ଜଣାପଡ଼ିଛି। ଏନ୍‌ଆଇସି ଦ୍ୱାରା ବିକଶିତ କରାଯାଇଥିବା ‘ଇ-କାର୍ଯ୍ୟାଳୟ’ ଏକ କ୍ଲାଉଡ ଏନାବେଲ ସଫ୍ଟଓ୍ବେୟାର। ସିକନ୍ଦରାବାଦ ଓ ଗୁରୁଗ୍ରାମସ୍ଥିତ ରେଲଟେଲ ଟାୟାର-୩ ସ୍ବୀକୃତି ପ୍ରାପ୍ତ ଡାଟା ସେଣ୍ଟର ଦ୍ୱାରା ଏହା ପରିଚାଳିତ ହେବ। ଏହା କେନ୍ଦ୍ରୀୟ ସଚିବାଳୟ ମାନୁଆଲ ‘ଇ-କାର୍ଯ୍ୟାଳୟ’ ପ୍ରଣାଳୀ ଅନ୍ତର୍ଗତ ଅଟେ। ସ୍ବତନ୍ତ୍ର କାର୍ଯ୍ୟକାରିତାଗୁଡିକ ଏକୀକୃତ ମାଧ୍ୟମରେ ପାରଦର୍ଶିତା ବୃଦ୍ଧି ଓ ସ୍ବଚ୍ଛତା ଆଣିବା ଲାଗି ଏହି ପ୍ରଣାଳୀ ସହାୟକ ହେବ ବୋଲି କୁହାଯାଇଛି।
ବର୍ତ୍ତମାନ ରେଳପଥର ମ୍ୟାନେଜମେଣ୍ଟ ପ୍ରଣାଳୀ(ଇ-ଫାଇଲ), ଜ୍ଞାନ ପରିଚାଳନା ପ୍ରଣାଳୀ(କେଏମ୍‌ଏସ୍‌), ସହଯୋଗ ଏବଂ ପରିଚାଳନା ପ୍ରଣାଳୀ(ସିଏଏମ୍‌ଏସ୍‌) ଓ ବ୍ୟକ୍ତିଗତ ସୂଚନା ପ୍ରଣାଳୀ(ପିଆଇଏମ୍‌ଏସ) ଇ-କାର୍ଯ୍ୟାଳୟ ପ୍ରଣାଳୀର ଅଂଶବିଶେଷ ହେବ। ବିଶ୍ୱସନୀୟତା, ଦକ୍ଷତା ଓ ଉତ୍ପାଦନୀୟତା ବୃଦ୍ଧି କରିବାରେ ସହାୟକ ହେବା ସହ କର୍ମଚାରୀମାନଙ୍କ ପରିଶ୍ରମ କମ୍‌ ଓ ସମୟ ବଞ୍ଚତ୍ବା ସହ ଡାଟା ସୁରକ୍ଷା ଓ ସଂହତି ବୃଦ୍ଧି ହୋଇପାରିବ ବୋଲି କାର୍ଯ୍ୟକ୍ରରେ କୁହାଯାଇଛି। ଏହି ଅବସରରେ ଅତିରିକ୍ତ ମହାପ୍ରବନ୍ଧକ ସୁଧୀର କୁମାର ଓ ସମସ୍ତ ବିଭାଗୀୟ ମୁଖ୍ୟ ଉପସ୍ଥିତ ଥିଲେ।

Share