ଭୁବନେଶ୍ୱର,୧୨-୫ (ବ୍ୟୁରୋ): ପ୍ରାରମ୍ଭିକ ଆକଳନ ଅନୁସାରେ ଫନୀ ଯୋଗୁ ପୂର୍ବତଟ ରେଳପଥ ୧୦ କୋଟି ଟଙ୍କାରୁ ଉର୍ଦ୍ଧ୍ୱ କ୍ଷତି ସହିଛି। କ୍ଷତି ପରିମାଣ ବଢିବ ବୋଲି ରେଲଓ୍ବେ ପକ୍ଷରୁ ସୂଚନା ରହିଛି। ସେହିଭଳି ଦକ୍ଷିଣ କେନ୍ଦ୍ରୀୟ ରେଲଓ୍ବେ ଫନୀ ଦ୍ୱାରା ୨.୯୮ କୋଟି ଟଙ୍କା କ୍ଷତି ସହିଥିବା ସୂଚନା ରହିଛି। କଟକ,ଭୁବନେଶ୍ୱର ଭଳି ପ୍ରମୁଖ ଷ୍ଟେଶନ ସହ ଅନ୍ୟ ଷ୍ଟେଶନ, ଖୋର୍ଦ୍ଧାରୋଡ ମେମୁ ସେଡ, ପୁରୀ କୋଚିଂ ଡିପୋ, ମଞ୍ଚେଶ୍ୱର କୋଚ୍ ମରାମତି କାରଖାନା, ମଞ୍ଚେଶ୍ୱର ରେଲଓ୍ବେ ଚିକିତ୍ସାଳୟ ଏବଂ ବୈଦ୍ୟୁତିକ ତାର ଭଳି ଅନ୍ୟାନ୍ୟ କ୍ଷୟକ୍ଷତି ରହିଛି। ବାତ୍ୟା ଦ୍ୱାରା ୬୦ ଗୋଟି ଓଭରହେଡ ତାର ଏବଂ ୨୨୦୦ କିମି ରେଳ ଟ୍ରାକ, ୨୦ ଗୋଟି ଲେଭଲ କ୍ରସିଂ ଗେଟ, ୧୫ ଇଲେକଟ୍ରିକ ସବ୍ଷ୍ଟେଶନ, ବହୁ ଷ୍ଟେଶନ ବିଲଡିଂର ଛାତ, ୨୦୦ ଜାଗାରେ ଗଛ ଉପୁଡିବା ଯୋଗୁ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି।
ଫନୀର ୨୪ ଘଣ୍ଟା ମଧ୍ୟରେ ରେଲଓ୍ବେ ହାଓଡା-ଚେନ୍ନାଇ ମେନ୍ ଲାଇନରେ ରେଳ ଚଳାଚଳକୁ ସ୍ବାଭାବିକ କରିଥିଲା। ଓଭର ହେଡ ଏବଂ ରେଳ ଟ୍ରାକର ତାରକୁ ତ୍ୱରିତ ଭିତ୍ତିରେ ଏହାକୁ ମରାମତି କରାଯାଇଥିଲା। ସେହିଭଳି ସ୍ବତନ୍ତ୍ର ଟ୍ରେନ ଚଳାଚଳ ଦ୍ୱାରା ଯାତ୍ରୀମାନଙ୍କୁ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଯାଇଥିଲା। ବିଭିନ୍ନ ଷ୍ଟେଶନରେ ଫସି ରହିଥିବା ଯାତ୍ରୀଙ୍କ ଖାଇବା ଏବଂ ରହିବା ବ୍ୟବସ୍ଥା କରାଯାଇଥିଲା ବେଳେ ଭୁବନେଶ୍ୱର ଷ୍ଟେଶନରେ ଓ୍ବାଟର ଭେଣ୍ଡିଂ ମେଶିନ ଏବଂ ମୋବାଇଲ ଚାର୍ଜ ସୁବିଧା କରାଯାଇଥିଲା ବୋଲି ରେଲଓ୍ବେ କହିଛି।
ବାତ୍ୟାର ତିନି ଦିନ ପରେ ଡିଜେଲ ଇଞ୍ଜିନ ଦ୍ୱାରା ଖୋର୍ଦ୍ଧାଠାରୁ ପୁରୀ ଟ୍ରେନ ଚଳାଚଳ କରିଥିଲା। ଏହା ଦ୍ୱାରା ଅନ୍ୟ କେତେକ ପ୍ରମୁଖ ଟ୍ରେନ ପୁରୀଠାରୁ ଚଳାଚଳ ଆରମ୍ଭ କରିଥିଲା। ପୁରୀରୁ ଟ୍ରେନ ଚଳାଚଳ ସମ୍ପୂର୍ଣ୍ଣ ଭାବେ ସ୍ବାଭାବିକ କରିବାକୁ ଷ୍ଟେଶନର ସମେତ ଅନ୍ୟାନ୍ୟ ପୁନରୁଦ୍ଧାର ଜୋରଦାର ହୋଇଛି। ଏଠାରୁ ଶୁଭାରମ୍ଭ ହେଉଥିବା ଅଧିକାଂଶ ଟ୍ରେନ ବର୍ତ୍ତମାନ ସ୍ବାଭାବିକ ସ୍ଥିତିକୁ ଫେରିଛି। ପ୍ରକିୟାର ଶେଷ ପର୍ଯ୍ୟାୟରେ ନିରାପତ୍ତା ସଂକ୍ରାନ୍ତ କାର୍ଯ୍ୟ ହାତକୁ ନିଆଯାଇଛି। ଧିରେ ଧିରେ ସ୍ଥିତି ସ୍ବାଭାବିକ ହେଉଥିବା ରେଲଓ୍ବେ କହିଛି। ଟ୍ରେନର ଉନ୍ନତ ପରିଚାଳନା ଲାଗି ସମୟରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ଏହା ଫଳରେ କିଛି ଟ୍ରେନ ବାତିଲ କରାଯାଇଥିବା ବେଳେ ଆଉ କିଛିର ଶୁଭାରମ୍ଭ ସ୍ଥାନ ପରିବର୍ତ୍ତନ କରାଯାଇଛି।
ସେହିଭଳି ନିରାପତ୍ତା ସଂକ୍ରାନ୍ତ କାର୍ଯ୍ୟ ଲାଗି ସମ୍ବଲପୁର ରେଳ ଡିଭିଜନରେ ଭୁବନେଶ୍ୱର-ଜୁନାଗଡ ଲିଙ୍କ ଏକ୍ସପ୍ରେସ ରବିବାର ରାୟଗଡା ଯାଏ ଚାଲିବ। ଏହା ରାୟଗଡା ଏବଂ ଜୁନାଗଡ ମଧ୍ୟରେ ସେବା ବନ୍ଦ ରହିବ।