Categories: ବାଣିଜ୍ୟ

ପୂର୍ବତଟ ରେଳପଥର ୧୯୧.୭୪ ନିୟୁତ ଟନ୍‌ ମାଲ ପରିବହନ

ଭୁବନେଶ୍ୱର, ୧୫-୮: ୭୩ତମ ସ୍ବାଧିନତା ଦିବସ ଅବସରରେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ ବିଦ୍ୟାଭୂଷଣ ରେଳପଥ ପରିବାରର ସମସ୍ତ ସଦସ୍ୟ ତଥା ଅଂଶୀଦାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଦେଶର ଲୋକମାନଙ୍କର ବିକାଶ,ସୁଖ ଓ ସମୃଦ୍ଧି ଉଦ୍ଦେଶ୍ୟରେ ରାଷ୍ଟ୍ରକୁ ଏକ ନମ୍ବର ଭାବେ ଗଢି ତୋଳିବା ଲାଗି କଠିନ ପରିଶ୍ରମ, ନିଷ୍ଠା, ମାନବବାଦ, ମହତ୍ୱ ଆଂକାକ୍ଷା ରଖିବା ନେଇ ସେ ଆହ୍ବାନ ଜଣାଇଛନ୍ତି। ଦେଶର ରାଜନୈତିକ, ଆର୍ଥତ୍କ ଏବଂ ସାମାଜିକ ସ୍ବତନ୍ତ୍ରତାକୁ ବଜାୟ ରଖିବା ଲାଗି ଆମକୁ ପୁନଃ ସମର୍ପିତ କରିବାର ସମୟ ଆସିଛି। ଏହି ପ୍ରସଙ୍ଗଗୁଡିକୁ ମାର୍ଗଦର୍ଶକ ଭାବେ ବିଚାର କରି ପୂର୍ବତଟ ରେଳପଥ ଅଗ୍ରସର ହେଉଛି। ୨୦୧୮-୧୯ରେ ପୂର୍ବତଟ ରେଳପଥ ୧୯୧.୭୪ ନିୟୁତ ଟନ୍‌ ମାଲ ପରିବହନ କରିବା ସହ ବିଭିନ୍ନ ରେଳ ଜୋନଗୁଡିକଠାରୁ ଆଗରେ ରହିଛି। ସେହିଭଳି ସମୟାନୁବର୍ତ୍ତିତାରେ ଏହା ଦ୍ୱିତୀୟ ସ୍ଥାନରେ ରହିଛି। ଏହାର ପରିଚାଳନା ଅନୁପାତ ୫୩% ରହିଥିବା ବିଦ୍ୟାଭୂଷଣ କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ବାତ୍ୟା ଫନୀ ଦ୍ୱାରା ରେଲଓ୍ବେକୁ ଅନେକ କ୍ଷତି ହୋଇଥିବା ବେଳେ ମାତ୍ର ୯ ଦିନରେ ଟ୍ରେନ ସେବା ସ୍ବାଭାବିକ କରିବାକୁ ସକ୍ଷମ ହୋଇଥିଲୁ। ପୂର୍ବତଟ ରେଳପଥର ଏଭଳି ଉଲ୍ଲେଖନୀୟ କାର୍ଯ୍ୟ ଲାଗି ରେଳବୋର୍ଡ ପକ୍ଷରୁ ପ୍ରଶଂସା କରାଯାଇଛି। ବିଭିନ୍ନ କ୍ଷେତ୍ରରେ ଯୋଗଦାନ ଲାଗି ପୂର୍ବତଟ ରେଳପଥ ‘ଜାତୀୟ ରେଳପଥ ପୁରସ୍କାର’ ଲାଭ କରିଛି। ୨୦୦ ମିଲିୟନ ଟନ୍‌ ମାଲ ପରିବହନ କ୍ଲବର ଉଦ୍‌ଘାଟନ କରିବାକୁ ସଂକଳ୍ପ ନିଆଯାଇଛି। ସେହିଭଳି ୮୦%ରୁ ଅଧିକ ସମୟାନୁବର୍ତ୍ତିତା, ୫୦%ରୁ କମ୍‌ ପରିଚାଳନା ଅନୁପାତ ନେଇ ଯୋଜନା ରହିଛି। ଯାତ୍ରୀ ସୁବିଧାର ଉନ୍ନତିକରଣ, ଦିବ୍ୟାଙ୍ଗଙ୍କ ପାଇଁ ୩୩ ଶୌଚାଳୟ, ୩ ପ୍ଲାଟଫର୍ମ ସେଡ୍‌, ୭ ଷ୍ଟେଶନ ଅଞ୍ଚଳର ବିକାଶ, ଟିଟିଆଇଙ୍କ ଲାଗି ହସ୍ତଚାଳିତ ଟିକେଟିଂ ମେଶିନ, ମୋବାଇଲରେ ଅଣ ସଂରକ୍ଷିତ ଟିକେଟିଂ ବ୍ୟବସ୍ଥା, ଦୁର୍ଗନ୍ଧମୁକ୍ତ ଟ୍ରେନ ଶୌଚାଳୟ, ଲିଫ୍ଟ, ଏସ୍କାଲେଟର ଏବଂ ଷ୍ଟେଶନ ବିଲଡିଂର ଆଲୋକୀକରଣ ବ୍ୟବସ୍ଥା ଭଳି ଅନ୍ୟ କ୍ଷେତ୍ରରେ ମଧ୍ୟ ବିଭିନ୍ନ କାର୍ଯ୍ୟ ହୋଇଛି।
ଏହାବାଦ, ନିରାପତ୍ତା ବୃଦ୍ଧି ନେଇ ବିଭିନ୍ନ ପଦକ୍ଷେପ ହାତକୁ ନିଆଯାଇଛି। ଏହି ସମୟରେ ପୂର୍ବତଟ ରେଳପଥ ୨୧୨ ଟ୍ରାକ କିଲୋମିଟର, ୫୧ ବ୍ରିଜ, ୭ ରୋଡ ଓଭର ବ୍ରିଜ, ସମ୍ବଲପୁର ରେଳମଣ୍ଡଳର ସମ୍ପୂର୍ଣ୍ଣ ଟ୍ରାକ ବିଦ୍ୟୁତୀକରଣ କରିଥିବା ସେ ପ୍ରକାଶ କରିଛନ୍ତି। ପୂର୍ବତଟ ରେଳପଥ ଏହାର ଉପଭୋକ୍ତା, ଯାତ୍ରୀ, କର୍ମଚାରୀ ଏବଂ ଅଂଶୀଦାରଙ୍କ ଅଭିଳାଷ ପୂରଣ ଦିଗରେ କାର୍ଯ୍ୟରତ। ସେହିଭଳି ଉତ୍କର୍ଷତାର ଅଗ୍ରଗତି ଲାଗି ପୂର୍ବତଟ ରେଳପଥ ଏହାର ପ୍ରୟାସ ଜାରି ରଖିବ ବୋଲି ବିଦ୍ୟା ଭୂଷଣ କହିଛନ୍ତି।

Share