Categories: ଖେଳ

ପୂର୍ବତନ ଅଧିନାୟକ ଆଝାରୁଦ୍ଦିନଙ୍କ ନାମରେ ଠକାମି ଅଭିଯୋଗ

ନୂଆଦିଲ୍ଲୀ,୨୩।୧- ପୂର୍ବତନ ଭାରତୀୟ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ ଓ ଅନ୍ୟ ଦୁଇ ଜଣଙ୍କ ନାମରେ ୨୧ ଲକ୍ଷ ଟଙ୍କାର ଠକାମି ଅଭିଯୋଗ ଆସିଛି। କିନ୍ତୁ ଅଭିଯୋଗକୁ ହାଇଦ୍ରାବାଦ କ୍ରିକେଟ ଆସୋସିଏଶନ (ଏଚ୍‌ସିଏ)ର ମୁଖ୍ୟ ଆଝାରୁଦ୍ଦିନ ଖଣ୍ଡନ କରିଛନ୍ତି। ଏଥିସହ ଅଭିଯୋଗକାରୀଙ୍କ ବିରୋଧରେ ୧୦୦ କୋଟି ଟଙ୍କାର ମାନହାନି ମକଦ୍ଦମା ଦାୟର କରିବା ନେଇ କହିଛନ୍ତି। ମହାରାଷ୍ଟ୍ରର ଔରଙ୍ଗାବାଦର ଦାନିଶ ଟୁର୍ସ ଓ ଟ୍ରାଭେଲ୍ସ ଏଜେନ୍ସି ମାଲିକ ଶାହାବ ଏଫ୍‌ଆଇଆର୍‌ ଦାଏର କରିଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ, ସେ ଆଝାରୁଦ୍ଦିନ ଓ ଅନ୍ୟ ଦୁଇ ଜଣଙ୍କ ପାଇଁ ୨୦.୯୬ ଲକ୍ଷ ଟଙ୍କାର ବହୁ ଅନ୍ତର୍ଜାତୀୟ ଫ୍ଲାଇଟ ଟିକେଟ୍‌ ବୁକ୍‌ କରିଥିଲେ। ଗତବର୍ଷ ନଭେମ୍ବରରେ ପ୍ରାୟ ସମସ୍ତ ଟିକେଟ ବୁକ୍‌ ହୋଇଥିଲା। ବହୁବାର ଆଝାରୁଦ୍ଦିନଙ୍କ ପିଏ ମୁଜିବ ଖାଁଙ୍କୁ ଅନୁରୋଧ କରିବା ପରେ ମଧ୍ୟ ଟଙ୍କା ମିଳି ନ ଥିଲା। କେବଳ ପ୍ରତିଶ୍ରୁତି ଦେଇଥିଲେ। ଏକଦା ପୂର୍ବତନ ଅଧିନାୟକଙ୍କ ପିଏ ସୁଦେଶ ଆଓ୍ବକାଲ ଏକ ଇ-ମେଲ୍‌ କରିଥିଲେ, ଯେଉଁଥିରେ ୧୦.୬ ଲକ୍ଷ ଟଙ୍କା ପଠାଯାଇଥିବା ଲେଖାଥିଲା। କିନ୍ତୁ ଟଙ୍କା ଆକାଉଣ୍ଟକୁ ଆସି ନ ଥିଲା। ଆଝାରୁଦ୍ଦିନ, ଖଁା ଓ ଅଓ୍ବାକଲଙ୍କ ନାମରେ ୪୨୦, ୪୦୬ ଓ ୩୪ ଧାରାରେ ମାମଲା ରୁଜୁ କରାଯାଇଛି।

Share