Categories: ଖେଳ

ପୂର୍ବତନ ଆର୍ଜେଣ୍ଟିନା ବକ୍ସିଂ ଚାମ୍ପିୟନଙ୍କୁ ଜେଲ୍‌ ଦଣ୍ଡ

ବୁଏନ୍‌ସ ଏରିଜ,୧।୮(ଏଏଫ୍‌ପି)- ବାରମ୍ବାର ଜଣେ ନାବାଳିକାଙ୍କୁ ନିର୍ଯାତନା ଦେବାରୁ ପୂର୍ବତନ ଓ୍ବେଲଟରଓ୍ବେଟ ଓ୍ବାଲର୍‌ଡ ବକ୍ସିଂ ଚାମ୍ପିୟନ କାର୍ଲୋସ ବାଲ୍ଡମିରଙ୍କୁ କୋର୍ଟ ୧୮ ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ୪୮ ବର୍ଷୀୟ ବକ୍ସର ୨୦୦୬ରେ ୧୦ ମାସ ପାଇଁ ବିଶ୍ୱ ବକ୍ସିଂ କାଉନ୍ସିଲ ଚାମ୍ପିୟନ ଥିଲେ। ଜଣେ ନାବାଳିକାଙ୍କୁ ୨୦୧୨ରୁ ୨ ବର୍ଷ ପର୍ଯ୍ୟନ୍ତ ନିର୍ଯାତନା ଦେଇଥିବା ଅଭିଯୋଗ ପରେ ତାଙ୍କୁ ୨୦୧୬ରେ ଗିରଫ କରାଯାଇଥିଲା। ତାଙ୍କୁ ଏ ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଗୁରୁବାର ହୋଇଥିବା ଶୁଣାଣିବେଳେ ବାଲ୍ଡମିର କୋର୍ଟରେ ଉପସ୍ଥିତ ଥିବା ବ୍ୟକ୍ତିଙ୍କୁ ଅଶ୍ଳୀଳ ଇଙ୍ଗିତ କରିଥିଲେ, ଯାହା କି ଟେଲିଭିଜନରେ ଦେଖିବାକୁ ମିଳିଥିଲା। ଉଲ୍ଲେଖଥାଉ କି, ୨୦୦୬, ଜାନୁୟାରୀରେ ଜାବ ଜୁଦାଙ୍କୁ ହରାଇ ବାଲ୍ଡମିରଙ୍କ କ୍ୟାରିୟରର ସବୁଠୁ ବଡ଼ ସଫଳତା ପାଇଥିଲେ। ଏହାପରେ ଆର୍ତ୍ତୁରୋ ଗାଟ୍ଟିଙ୍କୁ ପରାସ୍ତ କରି ଡବ୍ଲୁବିସି ଓ୍ବେଲଟରଓ୍ବେଟ ଟାଇଟଲ ବଜାୟ ରଖିଥିଲେ। ସେହି ବର୍ଷ ନଭେମ୍ବରରେ କିମ୍ବଦନ୍ତୀ ବକ୍ସର ଫ୍ଲଏଡ ମେଓ୍ବେଦରଙ୍କଠାରୁ ପରାସ୍ତ ହୋଇ ଟାଇଟଲ ହାତଛଡ଼ା କରିଥିଲେ। ୨୦୧୪ରେ ସେ ରିଙ୍ଗ୍‌ରୁ ଅବସର ନେଇଥିଲେ।

Share