ପୂର୍ବତନ ଏସ୍‌ଇଓଙ୍କୁ ୪ ବର୍ଷ ଜେଲ ଦଣ୍ଡାଦେଶ

ଫୁଲବାଣୀ ଅଫିସ, ୬ା୩-ଏକ ଲାଞ୍ଚ ମାମଲାର ବିଚାର କରି ଫୁଲବାଣୀ ଭିଜିଲାନ୍ସ ସ୍ବତନ୍ତ୍ର ବିଚାରପତି ସତ୍ୟପୀର ମିଶ୍ର କ.ନୂଆଗାଁ ବ୍ଲକର ପୂର୍ବତନ ସାମାଜିକ ଶିକ୍ଷା ସଙ୍ଗଠକ (ଏସ୍‌ଇଓ) ନବକେଶି ଦେଶୀନାୟକଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ବିଚାରପତି ତାଙ୍କୁ ୪ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଏଥିସହ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି। ଏହା ଅନାଦେୟ ଅଧିକ ୬ ମାସ ଜେଲ ଭୋଗିବାକୁ ରାୟରେ ଉଲ୍ଲେଖ କରଛନ୍ତି। କ.ନୂଆଗାଁ ବ୍ଲକ ଅଞ୍ଚଳରେ ପଦ୍ମଚରଣ ସାହୁ ନାମକ ଜଣେ ବ୍ୟକ୍ତି ବିଦ୍ୟାଳୟଗୁଡିକର ମଧ୍ୟାହ୍ନଭୋଜନ ପାଇଁ ଅଣ୍ଡା ଯୋଗାଉଥିଲେ ା ସେ ବାବଦକୁ ସରକାରଙ୍କଠାରୁ ପଦ୍ମଚରଣ ୭୪ ହଜାର ୯୦ ଟଙ୍କା ପାଇବାର ଥିଲା ା ଏହି ଟଙ୍କାର ବିଲ୍‌ କରିଦେବା ପାଇଁ ଦାୟିତ୍ୱରେ ଥିବା ନବକେଶି ଦେଶୀନାୟକଙ୍କୁ ସେ ଅନୁରୋଧ କରିଥିଲେ ା ଏଥିପାଇଁ ଦେଶୀନାୟକ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ା ତେବେ ୮ ହଜାର ଟଙ୍କା ଦେବାକୁ କଥା ଛିଡିଥିଲା। ପଦ୍ମଚରଣ ଏ ନେଇ ୨୦୧୪ ଜୁଲାଇ ୨୨ରେ ବ୍ରହ୍ମପୁର ଭିଜିଲାନ୍ସରେ ଅଭିଯୋଗକ୍ରମେ ନଂ.୩୨/୧୪ରେ ମାମଲା ରୁଜୁ ହୋଇଥିଲା ା ୨୩ରେ ପଦ୍ମଚରଣ ଲାଞ୍ଚ ଟଙ୍କା ଦେଶୀନାୟକଙ୍କୁ ତାଙ୍କ ଅଫିସରେ ଦେବା ବେଳେ ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନ୍ସ କର୍ମଚାରୀ ସେଠାରେ ପହଞ୍ଚି ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରିଥିଲେ ା

Share