Categories: ଗଞ୍ଜାମ

ପୂର୍ବତନ କର୍ପୋରେଟରଙ୍କ ପୁଅଙ୍କୁ ହତ୍ୟା ଉଦ୍ୟମ; ମାଷ୍ଟରମାଇଣ୍ଡଙ୍କୁ ଧରିପାରୁନି ପୋଲିସ

ବ୍ରହ୍ମପୁର ଅଫିସ,୧୬ା୯-ବ୍ରହ୍ମପୁର ବଡ ବଜାର ଥାନା ସୀତାଢ଼ିମ୍ବିରା ସାହିରେ ଗତ ୨୧ ତାରିଖ ରାତିରେ ବିଏମ୍‌ସିର ପୂର୍ବତନ କର୍ପୋରେଟର କୃଷ୍ଣ ସେଠୀଙ୍କ ପୁଅ ଚିଙ୍କୁ ଓରଫ ଗୌରବଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ ହୋଇଥିଲା। ଏହି ହତ୍ୟା ଉଦ୍ୟମ ଘଟଣାର ମାଷ୍ଟରମାଇଣ୍ଡ ପରି ଓରଫ ପରିକ୍ଷିତ ଲିମିୟାଙ୍କୁ ପୋଲିସ ଏବେ ସୁଦ୍ଧା ଗିରଫ କରିପାରିନାହିଁ। ଅଭିଯୁକ୍ତ ପରିଙ୍କୁ ହାଇକୋର୍ଟରୁ ଆଣ୍ଟିସିପେକ୍ଟୋରୀ ବେଲ ମିଳିବା ପର୍ଯ୍ୟନ୍ତ ପୋଲିସ ଅପେକ୍ଷା କରିଛି ନା ଅନ୍ୟ କିଛି କାରଣ ରହିଛି ତାହା ଜଣା ପଡୁନାହିଁ। ପ୍ରକାଶ ଯେ, ଅଗଷ୍ଟ ୨୧ ସନ୍ଧ୍ୟାରେ ଗୌରବ ବାପାଙ୍କ ନାମରେ ସାନବଜାର ଛକରେ ଏକ ବିଦେଶୀ ମଦ ଦୋକାନ ରହିଛି। ମଦ ପିଇବାକୁ କେନ୍ଦ୍ରକରି କେତେଜଣ ଯୁବକ ସେଠାରେ ଝଗଡା କରିଥିଲେ। ପରେ ଏହି ଘଟଣାର ଆପୋସ ସମାଧାନ ପାଇଁ ଗୌରବଙ୍କୁ ସୀତାଢ଼ିମ୍ବିରା ସାହିକୁ ରାତିରେ ଡକାଯାଇଥିଲା। ସେ ଘଟଣସ୍ଥଳରେ ପହଞ୍ଚିବା ମାତ୍ରେ ତାଙ୍କୁ ଯୋଜନାବଦ୍ଧ ଭାବେ ପଥରରେ ଛେଚି ହତ୍ୟା ଉଦ୍ୟମ କରାଯାଇଥିଲା। ପରେ କୃଷ୍ଣ ଏନେଇ ବଡବଜାର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ମାମଲା ନଂ. ୧୩୭/୧୯ରେ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏପରିକି ଏଥିରେ ସାମିଲ ଥିବା ୨ ଜଣ ନାବାଳକଙ୍କୁ ଧରି ଜେଜେବି ଜୁଭେନାଇଲ ଜଷ୍ଟିସ୍‌ ବୋର୍ଡକୁ ମଧ୍ୟ ପଠାଇଥିଲା।