ପୂର୍ବତନ କେନ୍ଦ୍ରମନ୍ତ୍ରୀ ରଘୁବଂଶ ପ୍ରସାଦ କରୋନାରେ ପୀଡ଼ିତ

ପାଟନା,୧୭।୬: ଚାଇନାର ଉହାନରୁ ଆରମ୍ଭ ହୋଇଥିବା କରୋନା ଭାଇରସ୍‌ ସଂକ୍ରମଣର ପ୍ରକୋପ ଏବେ ଭାରତରେ ଦିନକୁ ଦିନ ଜଟିଳ ହେବାରେ ଲାଗିିଛି। ଏହାର ମୁକାବିଲା ପାଇଁ କୌଣସି ଭ୍ୟାକସିନ୍‌ ବାହାରି ନ ଥିବା ବେଳେ ଏହା କବଳରୁ କେହି ବର୍ତ୍ତିପାରୁ ନାହାନ୍ତି। ଏହି କ୍ରମରେ ଆରଜେଡି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରଘୁବଂଶ ପ୍ରସାଦ ସିଂହ ବୁଧବାର କରୋନାରେ ପୀଡ଼ିତ ହୋଇଥିବା ଜଣାପଡ଼ିଛି। ମଙ୍ଗଳବାର ତାଙ୍କ ସ୍ବାସ୍ଥ୍ୟ ଖରାପ୍‌ ହେବାରୁ ତାଙ୍କୁ ବିହାର ପାଟନାର ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ ତାଙ୍କର କରୋନା ଯାଞ୍ଚ କରାଯାଇଥିଲା। ତେବେ ବୁଧବାର ଆସିଥିବା ରିପୋର୍ଟରେ ତାଙ୍କର କରୋନା ପଜିଟିଭ୍‌ ବାହାରିଛି। ରିପୋର୍ଟ ଆସିବା ପରେ ରଘୁବଂଶଙ୍କୁ ଏମ୍ସର ଆଇସୋଲେଶନ୍‌ ଓ୍ବାର୍ଡରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ବିହାରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬,୭୭୮ରେ ପହଞ୍ଚିଛି। ସେଥିମଧ୍ୟରୁ ୪,୬୪୪ଜଣ ସୁସ୍ଥ ଓ ୪୧ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ରହିଛି।

Share