ପୂର୍ବତନ ପଞ୍ଚାୟତ ସମ୍ପାଦକଙ୍କୁ ୩ ବର୍ଷ ଜେଲ

ଫୁଲବାଣୀ ଅଫିସ, ୨୦ା୮-ଚାଉଳ ହେରଫେର ମାମଲାର ବିଚାର କରି ସୋମବାର ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ ଭଗବାନ ପ୍ରଧାନ ପୂର୍ବତନ ପଞ୍ଚାୟତ ସମ୍ପାଦକଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଏଥିସହ ୩ ଲକ୍ଷ ଟଙ୍କା ଜରିମାନା ପକାଯାଇଛି। ଜରିମାନା ଅନାଦେୟ ଅଧିକ ୬ ମାସ ଜେଲ ଭୋଗିବାକୁ ରାୟରେ ଉଲ୍ଲେଖ କରିଛନ୍ତି। ଅଭିଯୁକ୍ତ ହେଲେ ବୌଦ୍ଧ ଜିଲା ଆମ୍ବଝରି ପଞ୍ଚାୟତର ସମ୍ପାଦକ କୃତିବାସ ପାଲିଆ ା ୨୦୦୨ରୁ ୨୦୦୭ ମଧ୍ୟରେ ପଞ୍ଚାୟତକୁ ଆସିଥିବା ବିଭିନ୍ନ ଯୋଜନାର ୪୦୧ କୁଇଣ୍ଟାଲ ୫୭ କେଜି ଚାଉଳ ଆତ୍ମସାତ କରାଯାଇଥିଲା ା ଯାହାର ମୂଲ୍ୟ ୨ ଲକ୍ଷ ୫୨ ହଜାର ୨୬ ଟଙ୍କା। ସେହିପରି ବିଦ୍ୟୁତ୍‌କରଣ ପାଇଁ ଆସିଥିବା ୫୦ ହଜାର ଟଙ୍କା ମଧ୍ୟ ଆତ୍ମସାତ ହୋଇଥିବା ନେଇ ବ୍ରହ୍ମପୁରସ୍ଥିତ ଭିଜିଲାନ୍ସ କାର୍ଯ୍ୟାଳୟରେ ଅଭିଯୋଗ ହୋଇଥିଲା ା ୨୦୦୯ ଜାନୁୟାରୀ ୧୭ରେ ଭିଜିଲାନ୍ସ ଇନ୍ସପେକ୍ଟର ଦୋଳଗୋବିନ୍ଦ ପରିଡା ପ୍ରାଥମିକ ତଦନ୍ତ କରି ଏତଲା ଦେଇଥିଲେ ା ଏ ନେଇ ନଂ.୩/୨୦୦୯ରେ ମାମଲା ରୁଜୁ ହୋଇଥିଲା ା ଏହାପରେ ଭିଜିଲାନ୍ସ ଡିଏସ୍‌ପି ଅନନ୍ତ କୁମାର ମାଝି ତଦନ୍ତ କରି ମାମଲାର ଚାର୍ଜଶିଟ ଦାଖଲ କରିଥିଲେ ା ମୋଟ ୨୧ ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ବିଚାରପତି ଉପରୋକ୍ତ ଦଣ୍ଡାଦେଶ ଦେଇଛନ୍ତି।