ପୂର୍ବତନ ପାଟଣା ବିଧାୟକ ଗୌରହରୀଙ୍କ ଦେହାନ୍ତ

ପାଟଣା,୨୩/୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଗୌରହରୀ ନାଏକଙ୍କ ପରଲୋକ ଘଟିଛି। ବୁଧବାର ରାତିରେ ସାହାରପଡା ବ୍ଲକ ହଲଦୀବଟା ଗାଁରେ ଥିବା ବାସଭବନରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ହୋଇଥିଲା। ସେ ଦୀର୍ଘ ଦିନ ଧରି ସ୍ନାୟୁ ରୋଗରେ ପୀଡିତ ଥିଲେ। ତାଙ୍କ ମୃତ୍ୟୁକୁ ନେଇ ପରିବାର ଓ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ଖେଳିଯାଇଛି। ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ଗୌରହରିଙ୍କ ପୁଅ କ୍ଷିତିଶ ନାଏକ ଓ ଝିଅ ସୁସ୍ମିତା ନାଏକ ଉପସ୍ଥିତ ଥିଲେ। ଗୁରୁବାର ସକାଳେ ଶେଷ ଦର୍ଶନ ପାଇଁ ତାଙ୍କ ବାସଭବନରେ ସଦରବିଧାୟକ ମୋହନ ଚରଣ ମାଝୀ, ଜିଲା ଭାଜପା ସଭାପତି ସବୁଜ ମହାନ୍ତ ବର୍ମା, ପୂର୍ବତନ କେନ୍ଦୁଝର ଏମ୍‌ପି ଅନନ୍ତ ଚରଣ ନାୟକ, ଅଖିଳ ଚନ୍ଦ୍ର ନାଏକ, ପୂର୍ବତନ ବିଧାୟକ ହୃଷିକେଶ ନାଏକ, ପୂର୍ବତନ ଜିଲା ପରିଷଦ ଅଧ୍ୟାକ୍ଷା ମମିତା ନାଏକ, ପୂର୍ବତନ ସାହାପଡା ବ୍ଲକ ଅଧକ୍ଷ ଗୌତମ ନାଏକ ପ୍ରମୁଖ ଯୋଗଦେଇ ଗୌରହରୀଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିବା ସହ ଭାଜପା ଦଳୀୟ ପତାକା ପ୍ରଦାନ କରିଥିଲେ। ଗୌରହରୀଙ୍କ ବିୟୋଗରେ ସଦର ବିଧାୟକ ମୋହନ ଚରଣ ମାଝୀ ଦଳ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି କହିଛନ୍ତି। ଗାଁ ନିକଟ ଶ୍ମଶାନରେ ଆଜି ଗୌରହରୀଙ୍କ ଅନ୍ତେଷ୍ଟିକ୍ରିୟା ସମ୍ପନ୍ନ ହେବ। ସୂଚନାଯୋଗ୍ୟ, ସେ ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ୨ଥର ଭାଜପା ଟିକଟରେ ପାଟଣା ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ। ତେବେ ବିଧାୟକ ହେବା ପୂର୍ବରୁ ସେ ବାୟୁସେନାରୁ ଅବସର ଗ୍ରହଣ କରିଥିଲେ।

Share