ପୂର୍ବତନ ପୋଲିସ ଏସ୍‌ଆଇଙ୍କୁ ୩ବର୍ଷ ଜେଲ

ଭୁବନେଶ୍ୱର, ୧୪ା୮(ବ୍ୟୁରୋ): ଚନ୍ଦ୍ରଶେଖରପୁର ଥାନାର ପୂର୍ବତନ ଏସ୍‌ଆଇ ରାମଚନ୍ଦ୍ର ସେଠୀଙ୍କୁ ମଙ୍ଗଳବାର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦଣ୍ଡିତ କରିଛନ୍ତି। ସେ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ଉକ୍ତ ମାମଲାର ବିଚାର କରି ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ ଅମ୍ବୁଜ ମୋହନ ଦାସ ଅଭିଯୁକ୍ତଙ୍କୁ ୩ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୧୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦାୟ ହେଲେ ଅଧିକ ୬ମାସ ଜେଲ ଦଣ୍ଡ ଭୋଗିବାକୁ ଆଦେଶ ହୋଇଛି।
ସୂଚନା ମୁତାବକ, ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ରହୁଥିବା ଜିତେନ୍ଦ୍ର ପାଢୀ ତାଙ୍କର ଏକ ଘରକୁ ପାଣ୍ଡବ ସ୍ବାଇଁଙ୍କୁ ଭଡ଼ା ଦେଇଥିଲେ। ପରବର୍ତ୍ତୀ ସମୟରେ ଉଭୟଙ୍କ ମଧ୍ୟରେ ବିବାଦ ଦେଖାଯିବାରୁ ଜିତେନ୍ଦ୍ର ଘର ଛାଡିବା ପାଇଁ ପାଣ୍ଡବଙ୍କୁ କହିଥିଲେ। ମାତ୍ର ପାଣ୍ଡବ ଘର ନ ଛାଡିବାରୁ ଉଭୟଙ୍କ ମଧ୍ୟରେ ମାର୍‌ପିଟ ପର୍ଯ୍ୟନ୍ତ କଥା ଯାଇଥିଲା। ୨୦୦୯ ଡିସେମ୍ବରରେ ଘର ମାଲିକ ଜିତେନ୍ଦ୍ର ଆକ୍ରମଣ କରିଥିବା ନେଇ ପାଣ୍ଡବ ଥାନାରେ ଅଭିଯୋଗ କରିଥିଲେ। ସେହିଭଳି ଜିତେନ୍ଦ୍ର ମଧ୍ୟ ଭଡାଟିଆ ପାଣ୍ଡବଙ୍କ ନାମରେ ପାଲଟା ଅଭିଯୋଗ ଆଣିଥିଲେ। ତତ୍‌କାଳୀନ ଏସ୍‌ଆଇ ରାମଚନ୍ଦ୍ର ସେଠୀ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ପାଣ୍ଡବ ଘର ଛାଡି ଚାଲିଯାଇଥିଲେ। ମାତ୍ର ଏହି ମାଲାରେ ତଦନ୍ତକାରୀ ଅଧିକାରୀ ସେଠୀ ସେହିବର୍ଷ ଡିସେମ୍ବର ୧୨ରେ ଜିତେନ୍ଦ୍ରଙ୍କ ପିତା ଭୀମସେନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଏପରିକି ଜିତେନ୍ଦ୍ରଙ୍କୁ ଗିରଫ ପାଇଁ ଧମକ ଦେବାସହ ଚାର୍ଜସିଟରୁ ନାମ କାଟିବା ପାଇଁ ସେଠୀ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ଜିତେନ୍ଦ୍ର ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଯୋଜନା ମୁତାବକ ୪ହଜାର ଟଙ୍କା ଦେବାକୁ ଜିତେନ୍ଦ୍ର ଏଏସ୍‌ଆଇ ସେଠୀଙ୍କ ସହ କଥା ହୋଇଥିଲେ। ଡିସେମ୍ବର ୧୪ରେ ଉକ୍ତ ଲାଞ୍ଚ ଗ୍ରହଣ କରୁଥିବାବେଳେ ଏଏସ୍‌ଆଇ ସେଠୀ ଭିଜିଲାନ୍ସ ହାତରେ ପଡ଼ିଥିଲେ। ଏହି ମାମଲାରେ ୬ ଜଣ ସାକ୍ଷୀଙ୍କ ବୟାନ ଓ ତଥ୍ୟ ପ୍ରମାଣକୁ ଆଧାର କରି ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ ରାୟ ଶୁଣାଇଥିଲେ। ସରକାରଙ୍କ ପକ୍ଷରୁ ସ୍ପେଶାଲ ପିପି (ଭିଜିଲାନ୍ସ) ହେମନ୍ତ କୁମାର ସ୍ବାଇଁ ମାମଲା ପରରିଚାଳନା କରିଥିଲେ।