Categories: ଖେଳ

ପୂର୍ବତନ ବିଚାରପତି ନାଗେଶ୍ୱରଙ୍କୁ ନିଯୁକ୍ତି

ନୂଆଦିଲ୍ଲୀ, ୨୩ା୯ (ପି.ଟି.):ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ)ର ସମ୍ବିଧାନ ସଂଶୋଧନ ଓ ଇଲେକ୍ଟୋରାଲ କଲେଜ ପ୍ରସ୍ତୁତ କରିବା ଲାଗି ସୁପ୍ରିମକୋର୍ଟ ଗୁରୁବାର ସର୍ବୋଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି ଏଲ୍‌. ନାଗେଶ୍ୱର ରାଓଙ୍କୁ ନିଯୁକ୍ତି ଦେଇଛନ୍ତି। ଜଷ୍ଟିସ୍‌ ଡି. ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଜଷ୍ଟିସ୍‌ ରାଓଙ୍କୁ ସମ୍ବିଧାନ ସଂଶୋଧନ ପାଇଁ ଏକ ରୋଡ୍‌ ମ୍ୟାପ୍‌ ପ୍ରସ୍ତୁତ କରିବା ସହ ଡିସେମ୍ବର ୫ ସୁଦ୍ଧା ନିର୍ବାଚନ କରାଇବା ଲାଗି କହିଛନ୍ତି। ଅନ୍ୟପକ୍ଷରେ ସେପ୍ଟେମ୍ବର ୨୭ରେ ହେବାକୁଥିବା ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି) ବୈଠକରେ ଯୋଗଦେବା ପାଇଁ ବର୍ତ୍ତମାନ ଆଇଓସିର ସେକ୍ରେଟାରି ଜେନେରାଲ ରାଜୀବ ମେହେଟ୍ଟା ଓ ଆଇଓଏର ଉପସଭାପତିଙ୍କୁ ଅନୁମତି ପ୍ରଦାନ କରିଛନ୍ତି। ବିଚାରପତି ରାଓଙ୍କୁ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଆବଶ୍ୟକ ସହାୟତା ପ୍ରଦାନ କରିବେ। ସେପ୍ଟେମ୍ବର ୮ରେ ଆଇଓଏକୁ ଶେଷ ଥର ପାଇଁ ଚରମବାଣୀ ଶୁଣାଇଥିଲା ଅନ୍ତର୍ଜାତୀୟ ଅଲିମ୍ପିକ କମିଟି। ପରିଚାଳନଗତ ସମସ୍ୟାର ସାମାଧାନ ଏବଂ ଡିସେମ୍ବର ସୁଦ୍ଧା ନିର୍ବାଚନ ନ କରାଇଲେ ବିଶ୍ୱ କ୍ରୀଡ଼ା ପରିଷଦ ଭାରତକୁ ବାସନ୍ଦ କରିବ ବୋଲି କହିଥିଲା। ନିକଟରେ ସୁଇଜରଲାଣ୍ଡର ଲାଉସାନେଠାରେ ଆଇଓସି କାର୍ଯ୍ୟନିର୍ବାହୀ ବୋର୍ଡ ବୈଠକ ବସିଥିଲା। ନରିନ୍ଦର ବାତ୍ରାଙ୍କ ବିଦା ପରେ କୌଣସି କାମଚଳା ଅବା କାର୍ଯ୍ୟକାରୀ ସଭାପତି ନିଯୁକ୍ତି ଦିଆ ଗଲେ ତାହା ଗ୍ରହଣଯୋଗ୍ୟ ହେବ ନାହିଁ ବୋଲି ଏଥିରେ ନିଷ୍ପତ୍ତି ନିଆଯାଇଥିଲା। ଆଇଓଏ ବ୍ୟାପାରରେ ବର୍ତ୍ତମାନ ପାଇଁ ସେକ୍ରେଟାରି ଜେନେରାଲଙ୍କ ସହ ଯୋଗଯୋଗ କରିବ ଆଇଓସି।

Share