ପୂର୍ବତନ ବିଧାୟକ ଅନାମ ନାଏକଙ୍କୁ ଜାମିନ

କଟକ ଅଫିସ, ୨୭ା୨: କଳାହାଣ୍ଡି ଜିଲା ଭବାନୀପାଟଣାର ପୂର୍ବତନ ବିଧାୟକ ଅନାମ ନାଏକ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତ ଜାନୁୟାରୀ ୨୩ ତାରିଖରେ ଗିରଫ ହୋଇଥିଲେ। ବୁଧବାର ତାଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଛି। ବିଚାରପତି ବିଭୁପ୍ରସାଦ ରାଉତରାୟଙ୍କ ଖଣ୍ଡପୀଠ ଅନାମଙ୍କୁ ସତ୍ତର୍ର୍ମୂଳକ ଜାମିନ ପ୍ରଦାନ କରିଛନ୍ତି। ତଦନ୍ତରେ ସହଯୋଗ କରିବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ନିମ୍ନ ଅଦାଲତ ଅନ୍ୟ ସର୍ତ୍ତ ଧାର୍ଯ୍ୟ କରିବେ ବୋଲି ନିର୍ଦ୍ଦେଶରେ କୁହାଯାଇଛି।
ସୂଚନାଯୋଗ୍ୟ, ଅନାମଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଥିଲା। ଭବାନୀପାଟଣା ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତଙ୍କ ତଲାସି ୱାରେଣ୍ଟ ବଳରେ କୋରାପୁଟ ଭିଜିଲାନ୍ସ ଡିଭିଜନ ପକ୍ଷରୁ ଜାନୁୟାରୀ ୧୭ ତାରିଖରେ ଅନାମଙ୍କ ଘର ସମେତ ମୋଟ ୪ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଥିଲା। ଯାଞ୍ଚ ବେଳେ ମୋଟ ୩ କୋଟି ୪୨ ଲକ୍ଷ ୯୯ହଜାର ୪୦୨ ଟଙ୍କାର ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତି ମିଳିଥିଲା। ତାଙ୍କର ନାକ୍‌ଟିଗୁଡ଼ାଠାରେ ଗୋଟିଏ ତିନି ମହଲା କୋଠା, ଦୁଇଟି ଏକ ମହଲା କୋଠା, ମାର୍କେଟ୍‌ କମ୍ପ୍ଲେକ୍ସ ଏବଂ ଗୋଟିଏ ଗ୍ୟାରେଜ୍‌ ସହ ବିଭିନ୍ନ ସ୍ଥାନରେ ଡୁପ୍ଲେକ୍ସ ଲଜ୍‌ ଓ ମାର୍କେଟ କମ୍ପ୍ଲେକ୍ସ, ଟ୍ରାକ୍ଟର, ସ୍କର୍ପିଓ, କାର୍‌, ବାଇକ୍‌ ସମେତ ବହୁ ପରିମାଣର ସୁନା ଅଳଙ୍କାର ଏବଂ ଜୀବନ ବୀମା ପଲିସି ଥିବା ତଦନ୍ତ ବେଳେ ଜଣାପଡ଼ିଥିଲା। ଏ ନେଇ ଗତ ଜାନୁୟାରୀ ୨୩ ତାରିଖରେ କୋରାପୁଟ ଭିଜିଲାନ୍ସ ଥାନାରେ ୩/୨୦୨୦ରେ ଏକ ମାମଲା ରୁଜୁ କରାଯିବା ସହ ଅନାମଙ୍କୁ ଗିରଫ କରାଯାଇଥିଲା। ନିମ୍ନ ଅଦାଲତରେ ଜାମିନ ଆବେଦନ ଖାରଜ ହୋଇଯିବା ପରେ ସେ ଜାନୁୟାରୀ ୨୯ ତାରିଖରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

Share